ଆସନ୍ତା ଫେବୃଆରୀ ୧୮ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ସମସ୍ତ ରାଜନୈତିକ ଦଳ ସେହି ମାତ୍ରାରେ ଚଳଚଞ୍ଚଳ ହୋଇ ଉଠୁଛନ୍ତି । ଆଜି ରାଜ୍ୟ କଂଗ୍ରେସ ଭବନରେ ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ହାତ୍ ସେ ହାତ୍ ଯୋଡ଼ୋ’ ବୈଠକ ବସିଥିଲା । ଆଗାମୀ ନିର୍ବାଚନରେ ଦଳକୁ ତୃଣମୂଳ ସ୍ତରରୁ କିପରି ମଜବୁତ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି । କଂଗ୍ରେସ ନିଜର ଅତୀତର ତ୍ରୁଟିକୁ ସୁଧାରି କିପରି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିବ ସେନେଇ ଦଳ ଖସଡ଼ା ପ୍ରସ୍ତୁତ କରୁଥିବା ଦଳୀୟ ମହଲରୁ ଜଣାପଡ଼ିଛି ।

ସର୍ବଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବେ । ଆସନ୍ତା ଫେବୃଆରୀ ମାସ ୧୮ ତାରିଖରେ ସେ ଓଡ଼ିଶା ଗସ୍ତରେ ଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆସନ୍ତା ୨୬ ତାରିଖରୁ ଦଳ ‘ହାତ୍ ସେ ହାତ୍ ଯୋଡ଼ୋ’ ଯାତ୍ରା ଆରମ୍ଭ କରିବ । ଆଜିର ବୈଠକରେ ଦଳର ରାଜ୍ୟ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି, ସମସ୍ତ ବିଧାୟକ, ଜିଲ୍ଲା ସଭାପତି, ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇଥିଲେ ।

Related Articles

Back to top button