୨୨ ତାରିଖରେ ବାଲେଶ୍ୱର ଯିବେ ମୁଖ୍ୟମନ୍ତ୍ରୀ: ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ ସହ ଶିଳାନ୍ୟାସ କାର୍ଯ୍ୟକ୍ରମ
ଭୁବନେଶ୍ୱର: ବାଲେଶ୍ୱର ବିକାଶରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ତାଙ୍କ ଗସ୍ତ ସମୟରେ ଶ୍ରୀ ପଟ୍ଟନାୟକ ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ ସହ ଶିଳାନ୍ୟାସ କରିବେ । ଏ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିପର୍ବକୁ ଜୋରଦାର କରାଯାଇଛି ।
ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ବାଲେଶ୍ୱର ଜିଲ୍ଲାପାଳଙ୍କ ସହିତ ପୋଲିସ ଲାଇନ୍ ପଡ଼ିଆ ସଭାସ୍ଥଳ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲାର ୧୨ଟି ବ୍ଲକ ସମେତ ବାଲେଶ୍ୱର, ସୋର, ଜଳେଶ୍ୱର, ମ୍ୟୁନିସିପାଲିଟି ଏବଂ ରେମୁଣା ନୀଳଗିରି ଏନଏସିର ୩୬୪ କୋଟି ୬୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୫୭ଟି ପ୍ରକଳ୍ପକୁ ଲୋକାର୍ପିତ କରିବେ ଶ୍ରୀ ପଟ୍ଟନାୟକ।
ସେହି ପରି ୧ ହଜାର ୪୨ କୋଟି ୬୯ଲକ୍ଷର ୧୦୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେଗୁଡ଼ିକ ମଧ୍ୟରେ ସୋମନାଥପୁର ରେଳବ୍ରିଜ୍, ହଳଦୀପଦାଠାରୁ ଦିଘା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ସଡ଼କ, ହରଗଙ୍ଗା ପୋଖରୀର ନବୀକରଣ, ସୁବର୍ଣ୍ଣରେଖା ନଦୀ ଉପରେ ପୋଲ, ଚାନ୍ଦିୁରପାଇଁ ସ୍ୱତନ୍ତ୍ର ବିଦ୍ୟୁତଗ୍ରୀଡ଼ ଷ୍ଟେସନ ଇତ୍ୟାଦି ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପୋଲିସଲାଇନ୍ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ କରାଯାଇଛି ।