ଯୁକ୍ତ ତିନି କଲେଜରୁ ସମ୍ପୂର୍ଣ୍ଣ ଭାବେ ଅଲଗା ହେବ ଯୁକ୍ତ ଦୁଇ ଶ୍ରେଣୀ

ଭୁବନେଶ୍ୱର: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ରାଜ୍ୟ ସରକାର ଯୁକ୍ତ ଦୁଇ ଓ ଯୁକ୍ତ ତିନି ମିଶ୍ରିତ ଭାବେ ରହିଥିବା କଲେଜଗୁଡ଼ିକର ପୃଥକୀକରଣ ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଯୁକ୍ତ ତିନି କଲେଜରୁ ଯୁକ୍ତଦୁଇ ଶ୍ରେଣୀକୁ ସମ୍ପୂର୍ଣ୍ଣ ଭାବେ ଅଲଗା କରି ଦିଆଯିବ । ତେବେ ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ପ୍ରକ୍ରିୟା ଆରମ୍ଭ ହେବ ।

ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ଟି କଲେଜକୁ ପୃଥିକୀକରଣ କରାଯାଇଛି । ଏ ଦିଗରେ ଜମି ଓ ଭିତ୍ତିଭୂମି ସମସ୍ୟା ବାଧା ସୃଷ୍ଟି କରୁଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୃଥିବୀକରଣ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଗଣଶିକ୍ଷା, ଉଚ୍ଚଶିକ୍ଷା, ଅର୍ଥ, ପଞ୍ଚାୟତିରାଜ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଗଣଶିକ୍ଷା ବିଭାଗ ଅଧିନରେ ଥିବା ମାଧ୍ୟମିକ ସ୍କୁଲମାନଙ୍କରେ ଥିବା ଖାଲି ପଦ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ଯୁକ୍ତଦୁଇ କଲେଜମାନଙ୍କରେ ମଧ୍ୟ ନିଯୁକ୍ତି ନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)କୁ ଦାୟିତ୍ୱ ଦିଆଯାଇଛି । ଏହା ମଧ୍ୟରେ ୧୫୪୩ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ନିଯୁକ୍ତି ପାଇଁ ମଞ୍ଜୁରୀ ମିଳିସାରିଥିବା ବେଳେ ଆଗକୁ ୩୬୭ଟି ପିଜିଟି ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହେବ ।

ସୂଚନାଯୋଗ୍ୟ ଯେ, ଡିଗ୍ରୀ କଲେଜ ପରିସରରୁ ଯୁକ୍ତଦୁଇ ଶ୍ରେଣୀକୁ ଅଲଗା ନେଇ ଗତ ଅଗଷ୍ଟ ମାସରେ ଚର୍ଚ୍ଚା ହୋଇଥିଲା । ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ବୈଠକରେ ଏହା ଉପରେ ଆଲୋଚନା କରାଯିବ ବୋଲି କୁହାଯାଇଥିଲା । ଯୁକ୍ତଦୁଇକୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଢାଞ୍ଚାରେ ହାଇସ୍କୁଲ ପରିସରରେ ସାମିଲ କରାଯିବା ସହ ଶିକ୍ଷାଦାନ କରାଯିବ ବୋଲି କୁହାଯାଇଥିଲା । ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ବୋଲି କୁହାଯାଇଥିଲା ।

Related Articles

Back to top button