ପିଏ ଦେବନାରାୟଣ ପଣ୍ଡା ହତ୍ୟା ମାମଲାର ଶୁଣାଣି ହେବ, ମାମଲାରେ ଆଇଏଏସ ମନୀଷ ଅଗ୍ରଓ୍ୱାଲଙ୍କ ସମେତ ଅନ୍ୟ ତିନି ଜଣଙ୍କ ନାଁ

ମାଲକାନଗିରି: ଚକ୍ରାନ୍ତ କରି ହତ୍ୟା ମାମଲାକୁ ଚାପି ଦେଇଥିଲେ । ହେଲେ କୋର୍ଟଙ୍କ ଛାଟ ପାଇଁ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ପିଏର ହତ୍ୟା ମାମଲାର ଶୁଣାଣି ହେବ ବୋଲି ସ୍ପଷ୍ଟ ହୋଇଛି । ହତ୍ୟା ଅଭିଯୋଗ ଆସିଥିବା ଆଇଏଏସ ମନୀଷ ଅଗ୍ରଓ୍ୱାଲ ଏବେର ଯୋଜନା ଓ ସମନ୍ୱୟ ବିଭାଗ ଯୁଗ୍ମ ସଚିବ ରହିଛନ୍ତି । ପିଏ ଦେବନାରାୟଣ ପଣ୍ଡାଙ୍କୁ ହତ୍ୟା କରିବା ମାମଲାରେ ମନୀଷଙ୍କ ସମେତ ଅନ୍ୟ ତିନି ଜଣଙ୍କ ନାଁ ମଧ୍ୟ ରହିଛି।

ମୃତକଙ୍କ ପରିବାର ଲୋକେ ମାଲକାନଗିରି ଏସଡିଜେଏମ୍ କୋର୍ଟରେ ନ୍ୟାୟ ଦାବି କରି ଆବେଦନ କରିଥିଲେ। ଏହାପରେ କୋର୍ଟ ଜାନୁଆରୀ ୩ରେ ଏହି ମାମଲାର ଶୁଣାଣି କରିବେ ବୋଲି ସୂଚନା ରହିଛି । ଏହି ସମୟରେ ଆଇଏଏସ ଅଗ୍ରଓ୍ୱାଲ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ ବୋଲି ସୂଚନା ରହିିଛି। କୋର୍ଟଙ୍କ ଏହି ନିର୍ଦ୍ଦେଶ ଏବେ ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ସଚିବ ଅଗ୍ରଓ୍ୱାଲଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଭଳି ମନେ ହେଉଛି।

ଆବେଦନକାରୀଙ୍କ ଆବେଦନ, ଦସ୍ତାବିଜ ଏବଂ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଧାରା ୩୦୨/୫୦୬/୨୦୧/୨୦୪/୧୨୦ (ବି) ଏବଂ ୩୪ ଆଇପିସିରେ ମାମଲା ଜାରି ରହିବ। ଜାନୁଆରୀ ୩ ତାରିଖରେ ଆବେଦନକାରୀଙ୍କ ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ। ଏହାପରେ ମନୀଷ ଅଗ୍ରଓ୍ୱାଲଙ୍କୁ ସମନ ହୋଇପାରେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୧୯ ଡିସେମ୍ବର ମାସରେ ଦେବନାରାୟଣ ପଣ୍ଡାଙ୍କ ମୃତ ଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିଲା। ଏହାପରେ ପରିବାର ଲୋକେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲା ଓ ତାଙ୍କ ସହଯୋଗୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ପୁଲିସରେ ଏଫଆଇଆର ଦାଖଲ କରିଥିଲେ।  ଯଦିଓ ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା ପରେ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା କହିଥିଲା । ହେଲେ ପିଏ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ।

ବନଜା ଆଇଏଏସ୍ ଅଧିକାରୀ ଅଗ୍ରୱାଲ ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ମାଲକାନଗିରିର ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ। ପରେ କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରି ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା। ତଦନ୍ତକାରୀ ସଂସ୍ଥା ରିପୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ ଦେବନାରାୟଣ ପଣ୍ଡା ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ମୃତ୍ୟୁରେ ଅଗ୍ରୱାଲଙ୍କର କୌଣସି ସମ୍ପୃକ୍ତି ନାହିଁ।

Related Articles

Back to top button