ସମ୍ବଲପୁର କଚେରୀ ଛକରେ ୧୪୪ ଧାରା ଅବଧି ବୃଦ୍ଧି, ଆସନ୍ତା ୨୭ ତାରିଖ ରାତି ୧୦ଟା ଯାଏଁ କଟକଣା

ସମ୍ବଲପୁର: ସମ୍ବଲପୁର କଚେରୀ ଛକରେ ଲାଗିଥିବା ୧୪୪ ଧାରାର ଅବଧିକୁ ଜିଲ୍ଲା ପ୍ରଶାସନ ପୁଣି ବୃଦ୍ଧି କରିଛି । ଆସନ୍ତା ୨୭ ତାରିଖ ରାତି ୧୦ଟା ଯାଏଁ କଟକଣା ବଳବତ୍ତର ରହିବ।
ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଗତ ୧୨ ତାରିଖରେ ଆଇନଜିବୀଙ୍କ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା। କଚେରି ଛକରେ ଆନ୍ଦୋଳନରତ ଓକିଲ ଓ ପୁଲିସ୍  ମୁହାଁମୁହିଁ ହୋଇଥିଲେ। ପୁଲିସ ଫୋର୍ସ ଉପସ୍ଥିତ ଥିବା ସତ୍ତ୍ବେ ଆଇନଜିବୀ ଓ ଆନ୍ଦୋଳନକାରୀ  କୋର୍ଟ ରୁମ୍ ଭିତରକୁ ଧସେଇ ପଶିବା ସହ ସେଠାରେ ଭଙ୍ଗାରୁଜା କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣା ପରେ ଜିଲ୍ଲା ପ୍ରଶାସନ କଚେରି ଛକରେ ୧୪୪ ଜାରି କରିଥିଲା। କଚେରୀ ଛକ  ଏବଂ କୋର୍ଟ ପରିସରର ୨୦୦ ମିଟର ପରିଧି ଭିତରେ ଏହି ୧୪୪ ଧାରା ବଳବତ୍ତର ରହିଥିଲା । ପ୍ରଥମେ ୨୩ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ୧୪୪ ଧାରାର ସମୟସୀମା ବୃଦ୍ଧି କରାଯାଇଥିଲା । ହେଲେ ଏବେ ସ୍ଥିତିକୁ ଦେଖି ପୁଣି ଥରେ ଏହି ସମୟ ସୀମାକୁ ଜିଲ୍ଲା ପ୍ରଶାସନ ବୃଦ୍ଧି କରିଛି।
ଅନ୍ୟପକ୍ଷରେ ଆଇନଜିବୀଙ୍କ ଆନ୍ଦୋଳନ ଘଟଣାରେ ବର୍ତମାନ ପର୍ଯ୍ୟନ୍ତ ୨୭ ଜଣ ଓକିଲ, ଜଣେ ସାଧାରଣ ନାଗରିକ ଓ ୮ ଜଣ କିନ୍ନର ଗିରଫ ହେଲେଣି । ହେଲେ ଗିରଫଦାରୀକୁ ବିରୋଧ କରି ଆଇନଜିବୀ ଏଯାଏଁ କାର୍ଯ୍ୟରେ ଯୋଗଦେଇ ନାହାଁନ୍ତି।

 

Related Articles

Back to top button