ଶ୍ରୀମନ୍ଦିରରେ ସ୍ନାନମଣ୍ଡପ ବାରିକେଡ୍‌ରେ ଫସିଗଲା ନାବାଳିକାର ମୁଣ୍ଡ, କଟରରେ ବାରିକେଡ୍‌ କାଟି ଉଦ୍ଧାର

ପୁରୀ: ଶ୍ରୀମନ୍ଦିର ପରିସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଅସାବଧାନତା ‌ଯୋଗୁଁ ସ୍ନାନମଣ୍ଡପ ବାରିକେଡ଼ରେ ଜଣେ ନାବାଳିକାର ମୁଣ୍ଡ ଫସିଯାଇଛି। ତେବେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ବାରିକେଡକୁ କଟରରେ କାଟି ନାବାଳିକାକୁ ଉଦ୍ଧାର କରିଛନ୍ତି। ନାବାଳିକାର ନାଁ ହେଲା ପ୍ରିୟାଂଶୀ ନାୟକ (୭)।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ସହରରୁ କମଳ‌ ଲୋଚନ ନାୟକ ନିଜ ସପରିବାର ସହିତ ଶ୍ରୀକ୍ଷେତ୍ର ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଆଜି ପୂର୍ବାହ୍‌ଣରେ ଶ୍ରୀମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କଲା ପରେ ଆନନ୍ଦବଜାର ବୁଲିଥିଲେ। ଏହି ସମୟରେ କମଳଲୋଚନ ନିଜ ପରିବାର ସହିତ ସ୍ନାନମଣ୍ଡପକୁ ଯାଇଥିଲେ। ତେବେ ନାବାଳିକା ପ୍ରିୟାଂଶୀ ବାପାଙ୍କ ଅଜାଣତରେ ବେରିକେଡରେ ମୁଣ୍ଡ ପଶାଇ ଦେଇଥିଲା। କିନ୍ତୁ ସେ ଆଉ ବେରିକେଡ ଭିତରୁ ବାହାରି ପାରିନଥିଲା। ନାବାଳିକାର ମୁଣ୍ଡ ବାରିକେଡ୍‌ ଭିତରେ ଫସିଯାଇଥିବା ଦେଖି ଅଳ୍ପ ସମୟ ମଧ୍ୟରେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ତଥାପି ବେରିକେଡ ଭିତରୁ ପ୍ରିୟାଂଶୀକୁ ଉଦ୍ଧାର କରାଯାଇ ପାରି ନଥିଲା। ତେଣୁ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା।

ସୂଚନା ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ସେମାନେ ବେରିକେଡକୁ କଟର ସାହାଯ୍ୟରେ କାଟି ପ୍ରିୟାଂଶୀକୁ ଉଦ୍ଧାର କରିଥିଲେ।

Related Articles

Back to top button