ଓଡ଼ିଶାରେ ପହଞ୍ଚିଲେ ଜାତୀୟ ପୁରୁଷ ହକି ଟିମ
ଭୁବନେଶ୍ୱର: ରାଜଧାନୀରେ ହକି ଫଭର । ହକି ବିଶ୍ୱକପ-୨୦୨୩ ପାଇଁ ଚମକୁଛି ରାଜଧାନୀ । ପ୍ରସ୍ତୁତି ବି ଜୋରଦାର ଚାଲିଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଜାତୀୟ ପୁରୁଷ ହକି ଟିମ । ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ବିମାନବନ୍ଦରରୁ ଖେଳାଳିମାନେ ସିଧାସଳଖ ହୋଟେଲକୁ ଯାଇଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ରାଉରକେଲା ଅଭିମୁଖେ ବାହାରିବେ। ଭୂବନେଶ୍ୱରରୁ ବାହାରି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବସଯୋଗେ ରାଉରକେଲା ଯିବେ । ରାଉରକେଲାରେ ବିଶ୍ୱକପ୍ ପାଇଁ ଅଭ୍ୟାସ ଆରମ୍ଭ କରିବେ ଭାରତୀୟ ହକି ଖେଳାଳି ।
ଜାନୁଆରି ୧୩ରୁ ଆରମ୍ଭ ହେବ ବିଶ୍ବକପ୍-୨୦୨୩ । ଏହା ୨୯ ତାରିଖ ଯାଏଁ ଚାଲିବ। ଭାରତୀୟ ଟିମ୍ରେ ୨ ଜଣ ଓଡ଼ିଆ ଖେଳାଳି ବି ସାମିଲ ହୋଇଛନ୍ତି । ସେମାନେ ବି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଦୁଇ ଖେଳାଳି ହେଲେ ଅମିତ ରୋହିଦାସ ଓ ନିଲମ ଖେସ୍ । ସମସ୍ତ ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ ଆସନ୍ତା ୧୩ ତାରିଖରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳିବ ଭାରତ । ସ୍ପେନ୍ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଭାରତ। ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଏବଂ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ ଖେଳିବ।