୨୦୨୨ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଛି ମାଗଣା ଚିକିତ୍ସା

ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିମନ୍ତେ ଅଭିପ୍ରେତ ଓଡିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ବିଶେଷ ଅଗ୍ରଗତି ହାସଲ କିରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟନ୍ବୟନ ସମୀକ୍ଷା ବୈଠକରୁ ଏହା ଜଣା ପଡ଼ିଛି ।

ବି.ଏସ୍.କେ.ୱାଇ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଓଡ଼ିଶା ହେଲଥ୍ ଆସୁରାନ୍ସ ସୋସାଇଟିର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି. କହିଥିଲେ ଯେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି । ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି ।

ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ଲୋକ ବି.ଏସ୍.କେ.ୱାଇ ରେ ଚିକିତ୍ସା ସୁବିଧା ପାଇଛନ୍ତି । ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲସେଣ୍ଟର୍ ମାଧ୍ୟମରେ କାଉନସେଲିଂ କରାଯାଇଛି । ନିଜ ନିଜର ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇଁ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଓ ସହାୟତା ଯୋଗାଇ ଦିଆଯାଇଛି । ହସ୍ପିଟାଲରେ ନିୟୋଜିତ ଥିବା ସ୍ବାସ୍ଥ୍ୟମିତ୍ରମାନେ ମଧ୍ୟ ସେମାନଙ୍କର ଆଡମିଶନ୍ ଓ ଚିକିତ୍ସାପାଇଁ ନିଜେ ଉପସ୍ଥିତ ରହି ଡ଼ାକ୍ତରମାନଙ୍କ ସହ ଯୋଗାଯୋଗ ଓ ଆବଶ୍ୟକୀୟ ପ୍ରକ୍ରିୟାଗତ ସହାୟତା କରିଛନ୍ତି । ବି.ଏସ୍.କେ.ୱାଇ ରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୫୬ ଟି ଚିକିତ୍ସା ଓ ନିଦାନ ପ୍ୟାକେଜ୍ କରାଯାଇଛି । ରୋଗୀମାନଙ୍କୁ ସେମାନଙ୍କର ରୋଗ ଅନୁସାରେ ଉପଯୁକ୍ତ ପ୍ୟାକେଜ୍ ଅନ୍ତର୍ଭୁକ୍ତ କରି ସଂପୃକ୍ତ ହସ୍ପିଟାଲମାନେ ଚିକିତ୍ସା କରିଛନ୍ତି ।

Related Articles

Back to top button