ରଥକାଠ ଅନୁକୂଳ ପାଇଁ ଗଲା ମାଳ, ମାହାର୍ଦ୍ଦ, ଲାଗି ଖଣ୍ଡୁଆ

ପୁରୀ: ରଥଯାତ୍ରାର ଆଦ୍ୟ ପର୍ବ ଆଜିଠାରୁ ଆରମ୍ଭ ‌ହୋଇଛି। ଆସନ୍ତାବର୍ଷର ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ କାଟିବାର ଅନୁମତି ମାଗିବାକୁ ଶ୍ରୀମନ୍ଦିର ପ୍ରଶାସନର ୪ଜଣିଆ ଦଳ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ନେଇ ସୋମବାର ଦିନ ନୟାଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ନୟାଗଡ଼ ବନଖଣ୍ଡ ଭେଟି ରଥକାଠ ଅନୁକୂଳର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ପ୍ରତିବର୍ଷ ଭଳି ଆଜି ନୟାଗଡ଼ ବନଖଣ୍ଡ ଅଧୀନ ଗଣିଆ ବନାଞ୍ଚଳ ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଭବ୍ୟ ପୂଜାର ଆୟୋଜନ କରାଯାଇଛି। ଏହିଅବସରରେ ବଡ଼ରାଉଳ ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରି ନୟାଗଡ଼ ବନଖଣ୍ଡରୁ ରଥଯାତ୍ରାରେ ତିନି ରଥ ପାଇଁ ଆବଶ୍ୟକ କାଠ କାଟିବାର ଅନୁମତି ମଗାଯିବ। ଏହି ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନରେ ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ନୟାଗଡ଼ ଜିଲ୍ଲା ଗସ୍ତ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ଅସନ, ଧଉରା, ଫାଶୀ, ଶିମିଳି ଆଦି କାଠ ଆବଶ୍ୟକ ଥିବାବେଳେ ଗତବର୍ଷର ୧୧୮ ଖଣ୍ଡ କାଠ ବଳି ପଡ଼ିଛି। ଏହା ଭଲ ଥିବାରୁ ଚଳିତବର୍ଷ ନୟାଗଡ଼ ବନଖଣ୍ଡରୁ ବାକି ୭୪୭ ଖଣ୍ଡ କାଠ କାଟିବାକୁ ନିଷ୍ପତ୍ତି ହୋଇଛି। ଏଥିରୁ ୪୦୬ ଖଣ୍ଡ କଟକ ଖପୁରିଆସ୍ଥିତ ସ’ ମିଲ୍‌କୁ ଯିବାକୁ ନିଷ୍ପତ୍ତି ହୋଇଛି। ବାକି ୩୪୧ ଖଣ୍ଡ କାଠ ରଥଖଳାକୁ ଆସିବାକୁ ନିଷ୍ପତ୍ତି ହୋଇଛି। ବଳକା ୧୧୮ ଖଣ୍ଡ କାଠରୁ ଅସନ ୬୮ ଖଣ୍ଡ ଓ ଧଉରା ୫୦ ଖଣ୍ଡ ବଳି ପଡ଼ିଛି। ଏହାକୁ ଛାଡ଼ି ବାକି କାଠ ନୟାଗଡ଼ ବନଖଣ୍ଡ ଓ ଆଖପାଖ ବନାଞ୍ଚଳରୁ ଆସିବ।

Related Articles

Back to top button