ନୂଆ ରୂପ ପାଇବ ଭୁବନେଶ୍ୱର ରେଳ ଷ୍ଟେସନ: ୩୦୮ କୋଟି ଟଙ୍କା ବ୍ୟୟବରାଦ
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ଯାହାକି ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରାଯିବ। ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ସ୍ଥାନ ପାଇଛି। ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାକୁ ମନ୍ତ୍ରୀ ଶିଘ୍ର କାର୍ଯ୍ୟ ସମ୍ପାଦନ ପାଇଁ ଗୁରୁତ୍ୱାରୋପ କରୁଛନ୍ତି। ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ।
ସେହିପରି ୧୪ କିଲୋମିଟର ଦୈର୍ଘ୍ୟ ଅନୁଗୁଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ ଏବଂ ଏହା ବିଭିନ୍ନ ଶିଳ୍ପ ସଂସ୍ଥା ବିଶେଷ ଭାବେ ପାୱାର ହାଉସ ମାନଙ୍କୁ ସହାୟତା ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳର ଉନ୍ନତି ସଙ୍ଗେସଙ୍ଗେ ଦେଶର ଆର୍ଥିକ ବିକାଶରେ ନୂତନ ଅଧ୍ୟାୟ ଯୋଡିବ। ଏହା ବ୍ୟତୀତ, ବହୁ ପ୍ରତିକ୍ଷିତ ଓ ଜନସାଧାରଣଙ୍କ ପଡିରହିଥିବା ଦୀର୍ଘଦିନର ଦାବିକୁ ପୂରଣ କରିବା ପାଇଁ ବିଶେଷ ଭାବେ ରେଳ ଯାତ୍ରୀ ମାନଙ୍କ ଆକାଂକ୍ଷା ପୂରଣ ପାଇଁ ଦୁଇଟି ନୂତନ ଟ୍ରେନ ପ୍ରଚଳନ କରାଯାଉଅଛି।
ଜନସାଧାରଣଙ୍କ ଦୀର୍ଘଦିନର ଆକାଂକ୍ଷା ଥିବା ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର ଓ ଶାଲିମାର (କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନକୁ ପ୍ରଚଳନ କରାଯିବ ଯାହାକି ଯାତ୍ରୀ ମାନଙ୍କର ବହୁ ଦିନର ଆକାଙ୍କ୍ଷାକୁ ପୁରଣ କରିବ। ଏହି ଅଞ୍ଚଳର ଯାତ୍ରୀମାନଙ୍କ ସୁବିଧା ତଥା ଆରାମଦାୟକ ଯାତ୍ରା ପାଇଁ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ସେବାର ଫଳାଫଳ। ଏହାଦ୍ୱାରା ଯାତ୍ରୀମାନେ ଏଣିକି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଆଉ ମାଧ୍ୟ୍ୟବର୍ତ୍ତୀ ସ୍ଥାନରୁ ଅନ୍ୟ ପରିବହନ ଉପରେ ନିର୍ଭର କରିବେ ନାହିଁ।