ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍ ହେଲେ ପୂର୍ବତନ RAW ମୁଖ୍ୟ ଅମରଜିତ ସିଂହ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍ ହେଉଛନ୍ତି ବହୁ ଜ୍ଞାନୀଗୁଣି ବୁଦ୍ଧିଜୀବୀ। ସିନେ ତାରକାଙ୍କ ସହ ଅର୍ଥନୀତିଜ୍ଞ ଓ ବଡ଼ ବଡ଼ ପଦବୀରେ ରହି ସାରିଥିବା ଅଫିସରମାନେ ମଧ୍ୟ ଏହି ଯାତ୍ରାରେ ଯୋଗ ଦେଇ ଏହାକୁ ଆହୁରି ଚର୍ଚ୍ଚିତ କରିଦେଉଛନ୍ତି।
Former Special Director of the Indian Intelligence Bureau & former Secretary of Research and Analysis Wing (RAW) Shri A.S. Dulat joins Shri @RahulGandhi during the #BharatJodoYatra. A.S. Dulat also served as an advisor on J&K in the Vajpayee government after his retirement. pic.twitter.com/fMu6iaN7am
— Congress (@INCIndia) January 3, 2023
ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଉ ଆଜି ରାହୁଲଙ୍କ ସହ ଯାତ୍ରାରେ ଯୋଗ ଦେଇଛନ୍ତି ଭାରତର ଅନ୍ତର୍ଜାତୀୟ ଗୁଇନ୍ଦା ସଂସ୍ଥା (R&AW)ର ପୂର୍ବତନ ମୁଖ୍ୟ ଅମରଜିତ ସିଂହ ଦୌଲତ। ମଙ୍ଗଳବାର ସେ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇ ରାହୁଲଙ୍କ ହାତରେ ହାତ ମିଶାଇ ଚାଲୁଥିବାର ଦେଖାଯାଇଛି। ଏହି ଫଟୋ କଂଗ୍ରେସ ତାର ଟ୍ୱିଟର ହ୍ୟାଣ୍ଡେଲ୍ରେ ଶେୟାର କରି ସୂଚନା ଦେଇଛି। ଏହି ଫଟୋରେ RAWର ପୂର୍ବତନ ମୁଖ୍ୟ ରାହୁଲଙ୍କ ହାତ ଧରି ଦିଲ୍ଲୀର ବାବରପୁର ଏରିଆରେ ଚାଲୁଥିବାର ଦେଖିବାକୁ ମିଳିଛି।
ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରେ ରାଜସ୍ଥାନରେ ହେଉଥିବା ରାହୁଲଙ୍କର ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇଥିଲେ ପୂର୍ବତନ RBI ଗଭର୍ଣ୍ଣର ରଘୁରାମ ରାଜନ। ସେହିପରି ଦିଲ୍ଲୀରେ ୨୪ ଡିସେମ୍ବରେ ଦକ୍ଷିଣୀ ସୁପରଷ୍ଟାର ତଥା ମକ୍କଲ ନିଧୀ ମାୟାମ ଦଳର ନେତା କମଲ ହସନ ରାହୁଲଙ୍କ ସହ ପଦଯାତ୍ରାରେ ଯୋଗ ଦେଇଥିଲେ। ତା ସହିତ ବଲିଉଡ୍ ଆକ୍ଟର ପୂଜା ଭଟ, ସ୍ୱରା ଭାସ୍କର ଆଦି ଅଭିନେତ୍ରୀମାନେ ମଧ୍ୟ ରାହୁଲଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇସାରିଛନ୍ତି।
ସୂଚନା ଥାଉକି ଆଜି ପୁଣିଥରେ ଆରମ୍ଭ ହୋଇଥିବା ରାହୁଲ ଗାନ୍ଧୀଙ୍କର ଏହି ପଦଯାତ୍ରା ଗାଜିଆବାଦର ଲୋନୀ ବର୍ଡର ଦେଇ ୟୁପିରେ ପ୍ରବେଶ କରିଛି। ଜାନୁଆରୀ ୩-୫ ପର୍ଯ୍ୟନ୍ତ ୟୁପିରେ ଏହି ଯାତ୍ରା ଜାରି ରହିବ। ପରେ ଜାନୁଆରୀ ୬ ତାରିଖରେ ହରିୟାଣା ଦେଇ ୧୧ ତାରିଖରେ ପଞ୍ଜାବରେ ପ୍ରବେଶ କରିବ।