ଭୁବନେଶ୍ୱରରେ ମହିଳା ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ ନେଇ ଥାନାରେ ଏତଲା

ଭୁବନେଶ୍ୱର:  ପୁଣି ମହିଳାଙ୍କ ସୁରକ୍ଷାକୁ ନେଇ ରାଜଧାନୀରେ ଏକ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି । ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗତ ୨ତାରିଖ ରାତି ସାଢ଼େ ଗୋଟାଏ ବେଳେ ଆକ୍ରମଣ ଉଦ୍ୟମ ନେଇ ସହିଦନଗର ଥାନାରେ ଏତଲା ଦିଆଯାଇଛି । ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ବୃତ୍ତ ମାନେ ପିଛା କରିବା ସହ ଖଣ୍ଡା ବୁଲାଇ ଓ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଜଣେ ମହିଳା ଏସଆଇ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ,  ଗତ ୨ ତାରିଖ ଦିନ ଡ୍ୟୁଟି ସାରି ରାତିରେ ଫେରୁଥିଲେ ମହିଳା ଏସଆଇ ଜଣକ । ଫେରିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ । ସାଇନ୍ସ ପାର୍କ ନିକଟରେ ଏକ ଇନୋଭା ଗାଡ଼ିରେ ତାଙ୍କ ପିଛା କରିଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ନିକଟରୁ ବର୍ତ୍ତିବା ପାଇଁ ପୁଲିସ ଗ୍ରାଉଣ୍ଡକୁ ମହିଳା ଏସଆଇ ଜଣକ ପଶିଯାଇଥିବା କହିଛନ୍ତି । ଏନେଇ ସହିଦ ନଗର ଥାନାରେ ଏତଲା ହେବା ପରେ ପୁଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି । ସେପଟେ ଏପରି ଏକ ଘଟଣାକୁ ନେଇ ରାଜଧାନୀରେ ପୁଲିସର ଚିନ୍ତା ବଢ଼ିଛି । ଭୁବନେଶ୍ୱରରେ ଯଦି ମହିଳା ପୁଲିସ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକ କେତେ ସୁରକ୍ଷିତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Articles

Back to top button