ରେଲୱେ ଚାକିରି ନାଁରେ ଠକେଇ ମାମଲା: ଆଉ ୧୬ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ବ୍ରହ୍ମପୁର: ରେଲୱେ ଚାକିରି ନାଁରେ ଠକେଇ ମାମଲାର ଚେର ଲମ୍ବିବାରେ ଲାଗିଛି। ଜଣକ ପରେ ଜଣେ ପୀଡ଼ିତ ପୋଲିସର ଦ୍ବାରସ୍ଥ ହେଉଛନ୍ତି। ପୂର୍ବରୁ ୭ ଲକ୍ଷ ଟଙ୍କା ଠକେଇ ନେଇ ଏସ୍‌.ହିତେଶ ପାତ୍ର ନାମକ ଜଣେ ଯୁବକ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଜେଏମ୍‌ଏସ୍‌ ପ୍ରଭା ଏବଂ ତାଙ୍କ ସହଯୋଗୀ ତଥା ଟିଉସନ ସାର୍‌ ସମୀର ରଥ ଗିରଫ କରିଥିଲେ। ଏବେ ଉଭୟ ଅଭିଯୁକ୍ତଙ୍କ ନାଁରେ ବ୍ରହ୍ମପୁର ସଦର ଥାନାରେ ଆଉ ଦୁଇଟି ମାମଲା ରୁଜୁ ହୋଇଛି। ୧୬ ଲକ୍ଷ ଟଙ୍କାର ଠକେଇ ହୋଇଥିବା ନେଇ ଉଭୟ ମାମଲାରେ ଅଭିଯୋଗ ହୋଇଛି। ସଦର ଥାନା ପୋଲିସ ପୃଥକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଗେଟ ବଜାର ମୁକ୍ତିପଥ ସାହିର ରବୀନ୍ଦ୍ର ବେହେରାଙ୍କ ଝିଅ ଜାଗୃତି ବେହେରାକୁ ରେଲୱେରେ ଚାକିରି କରାଇଦେବା ପାଇଁ ଟିଉସନ ସାର୍‌ ସମୀର ରଥ ପ୍ରାୟ ଦୁଇ ବର୍ଷ ପୂର୍ବେ ୧୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଜାଗୃତି କୌଣସି ଚାକିରି ପାଇନଥିଲେ। ଏଥିରେ ବିରକ୍ତ ପ୍ରକାଶ କରିବା ସହ ବାରମ୍ବାର ପ୍ରଶ୍ନ କରିଥିଲେ ରବୀନ୍ଦ୍ର। ୨୦୨୨ ଅକ୍ଟୋବରରେ ଏକ ନିଯୁକ୍ତିପତ୍ର ଜାଗୃତିଙ୍କୁ ପ୍ରଦାନ କରାଯାଇଥିଲା। ବିହାରର ଦାନପୁର ଡିଭିଜିନାଲ୍‌ ରେଲୱେ ମ୍ୟାନେଜର(ଡିଆରଏମ୍‌)ଙ୍କ କାର୍ଯ୍ୟାଳୟରେ ଯାଇ ଜଏନ କରିବାକୁ କୁହାଯାଇଥିଲା। ଜାଗୃତି ଦାନପୁର ଡିଏମଆରଙ୍କ କାର୍ଯ୍ୟାଳୟରେ ଜଏନ କରିବା ସହ ଗୋଟିଏ ମାସ କାମ କରିଥିଲେ। କିନ୍ତୁ ଦରମା ମିଳିନଥିଲା। ଏନେଇ ସମୀରଙ୍କୁ ରବିନ୍ଦ୍ର ପ୍ରଶ୍ନ କରିଥିଲେ। ପ୍ରଭାଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ପଠାଇଲେ ସେ ଆଇକାର୍ଡ ଦେବା ସହିତ ଦରମା ମିଳିବ ବୋଲି ସମୀର ଉତ୍ତର ରଖିଥିଲେ। ବିଶ୍ବାସରେ ରବୀନ୍ଦ୍ର ୧ ଲକ୍ଷ ଟଙ୍କା ପ୍ରଭାଙ୍କୁ ଦେଇଥିଲେ। କିନ୍ତୁ ଟଙ୍କା ଦେବା ପରେ ମଧ୍ୟ ଦରମା ନମିଳିବାରୁ ସନ୍ଦେହ ପ୍ରକାଶ କରିଥିଲେ। ପ୍ରଭାଙ୍କ ଠକେଇ ଜାଲ ଜନିତ ଘଟଣା ସାମ୍ନାକୁ ଆସିବା ପରେ ସଦର ଥାନାର ଦ୍ବାରସ୍ଥ ହୋଇଛନ୍ତି ରବୀନ୍ଦ୍ର।

Related Articles

Back to top button