ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶାର ୧୯ ଜିଲା ଜାତୀୟ ପୁରସ୍କାର ପାଇବେ

ଭୁବନେଶ୍ୱର: ରାଜ୍ୟରେ ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଜିଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଓଡ଼ିଶା ଲ୍ୟାଣ୍ଡ ରେକର୍ଡସ ମର୍ଡନାଇଜେଶନ ସୋସାଇଟି(ଓଏଲ୍‌ଆର୍‌ଏମ୍‌ଏସ୍‌)ର ଗଭର୍ନିଂ ବଡି ବୈଠକରେ ଏହି ସୂଚନା ଦିଆଯାଇଛି।

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, ଦେଶରେ ୬ଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋଟ ୭୫ ଜିଲାକୁ ପ୍ଲାଟିନମ୍‌ ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ସେଥିରୁ ଓଡ଼ିଶାର ୧୯ ଜିଲା ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ସବୁ ଜିଲାଗୁଡ଼ିକର ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣରେ କାର୍ଯ୍ୟଦକ୍ଷତା ୯୯ ପ୍ରତିଶତରୁ ଅଧିକ ରହିଛି। ଆଗାମୀ ଦିନରେ ଏହି ସବୁ ଜିଲାର ଜିଲାପାଳମାନଙ୍କୁ ନୂଆଦିଲ୍ଲୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଉତ୍ସବରେ ସମ୍ମାନିତ କରାଯିବ। ପ୍ଲାଟିନମ୍‌ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିବା ଜିଲାଗୁଡ଼ିକ ହେଲେ ଅନୁଗୋଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର। ବର୍ତ୍ତମାନ ହାଇଟେକ୍‌ ସର୍ଭେ ୫ଟି ଜିଲା ଯଥା ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ସୁବର୍ଣ୍ଣପୁରରେ କାର୍ଯ୍ୟକାରୀ ହେଉଛି। ଦେବଗଡ଼ ଜିଲାରେ ସର୍ଭେ କାର୍ଯ୍ୟ ଶେଷ ହୋଇଥିଲା ବେଳେ ସୁବର୍ଣ୍ଣପୁର ଜିଲାରେ ଏହି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Related Articles

Back to top button