ଡାକ୍ତରଙ୍କ ପାଇଁ ପୁଣି ଲାଗୁ ହେବ ଜିଲା ଆବାସ କାର୍ଯ୍ୟକ୍ରମ: ପିଜି ଛାତ୍ରଛାତ୍ରୀ ଜିଲା ଡାକ୍ତରଖାନାରେ ୩ ମାସ କାର୍ଯ୍ୟ କରିବେ

ନୂଆଦିଲ୍ଲୀ: କରୋନା କାରଣରୁ ଦୁଇ ବର୍ଷ ବିଚାରାଧୀନ ରହିବା ପରେ ବର୍ତ୍ତମାନ ଦେଶର ଜିଲା ଡାକ୍ତରଖାନାଗୁଡ଼ିକରେ ଡାକ୍ତରଙ୍କ ପାଇଁ ଜିଲା ଆବାସ କାର୍ଯ୍ୟକ୍ରମ ପୁଣି କାର୍ଯ୍ୟକାରୀ ହେବ। ପିଜି ଛାତ୍ରଛାତ୍ରୀଙ୍କ ଲାଗି ତିନି ମାସର ଜିଲା ଆବାସ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ଜାତୀୟ ଚିକିତ୍ସା ଆୟୋଗ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିୟମ ୨୦୨୧ ରୁ ପ୍ରଯୁଜ୍ୟ ହେବ, ଯାହା ଅଧୀନରେ ପ୍ରତ୍ୟେକ ପିଜି ଛାତ୍ରଙ୍କୁ ତିନିମାସ ପାଇଁ ଜିଲା ଡାକ୍ତରଖାନାରେ ସେବା କରିବାକୁ ପଡିବ। ଉକ୍ତ ଛାତ୍ରଙ୍କ ରହଣି ହସ୍ପିଟାଲ ପରିସରରେ କିମ୍ବା ପ୍ରାୟ ଦୁଇରୁ ତିନି କିଲୋମିଟର ଅଞ୍ଚଳରେ କରାଯିବ। ଯାହା ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କ ସେବା ଉପଲବ୍ଧ ହୋଇପାରିବ। କେବଳ ଏତିକି ନୁହେଁ, ଡାକ୍ତରୀ ଛାତ୍ର ସଂଗଠନର ଚାହିଦାକୁ ମଧ୍ୟ ଆୟୋଗ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ୨୦୨୦ରେ ଛାତ୍ରୀଛାତ୍ରଙ୍କ ପାଇଁ ଏହି ନିୟମରେ କୋହଳ ପ୍ରଦାନ କରିବାକୁ ଏକ ଆବେଦନ କରାଯାଇଥିଲା।

ସୂଚନା ଅନୁଯାୟୀ, ପୋଷ୍ଟ ଗ୍ରାଜୁଏଟ ମେଡିକାଲ ରେଗୁଲେଶନ ଅନୁଯାୟୀ ୧୬ ସେପ୍ଟେମ୍ବର ୨୦୧୯ରେ ଜିଲା ଆବାସ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୨୦୨୦ ମସିହାରେ କରୋନା ମହାମାରୀ ପରେ ଏହା ସାମୟିକ ଭାବରେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ମହାମାରୀକୁ ନିୟନ୍ତ୍ରଣ କରିବା ପରେ ପୁନର୍ବାର ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏନଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସରକାରୀ ସହିତ ଘରୋଇ ମେଡିକାଲ କଲେଜରେ ପଢୁଥିବା ପିଜି ଛାତ୍ରମାନେ ମଧ୍ୟ ଏହି ନିୟମର ଅଧୀନରେ ଆସିବେ। ଏହି ପରିପ୍ରେକ୍ଷୀରେ ବେସରକାରୀ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦେବା ସମସ୍ତ ରାଜ୍ୟର ଡାକ୍ତରୀ ଶିକ୍ଷା ବିଭାଗର ଦାୟିତ୍ୱ ବୋଲି ସେ କହିଛନ୍ତି।

Related Articles

Back to top button