‘କାଳୀ’ ପୋଷ୍ଟର ବିବାଦ ମାମଲାରେ ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫଦାରୀରୁ କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ‘କାଳୀ’ ପୋଷ୍ଟର ବିବାଦକୁ ନେଇ ୪ଟି ରାଜ୍ୟରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ ଉପରେ ମଧ୍ୟ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏତଦ୍‌ ବ୍ୟତୀତ ସମାନ ମାମାଲାରେ ଭବିଷ୍ୟତର ଏଫ୍‌ଆଇଆର୍‌ଗୁଡିକରେ ମଧ୍ୟ କୋର୍ଟ ସୁରକ୍ଷା ପ୍ରଦାନ କରିଛନ୍ତି। ସେହିପରି ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଏନେଇ ଏକ ନୋଟିସ ଜାରି କରାଯାଇଛି। ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପି.ଏସ୍‌ ନରସିଂମାଙ୍କ ଏକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୦ରେ ହେବ ବୋଲି ସୂଚନା ରହିଛି। ଅନ୍ୟପଟେ ଲୀନା ଜଣେ ଲୋକପ୍ରିୟ ଫିଲ୍ମ ନିର୍ମାତା। ତାଙ୍କ ବିରୋଧରେ ୬ଟି ମାମଲା ରୁଜୁ ହେବା ସହ ଲୁକ୍‌ ଆଉଟ ନୋଟିସ୍‌ ଜାରି କରାଯାଇଛି ବୋଲି ଲୀନାଙ୍କ ଓକିଲ କାମିନୀ ଜୈସୱାଲ କହିଛନ୍ତି। ଲୀନା ଦେବୀ କାଳୀଙ୍କୁ ତାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ରେ ସିଗାରେଟ ଟାଣୁଥିବା ଦର୍ଶାଇଥିଲେ। ଏହାପରେ ବିବାଦ ଦେଖାଦେଇଥିଲା।

Related Articles

Back to top button