ଲାଞ୍ଚ ମାମଲାରେ ପୋଲିସ ଏସ୍‌ଆଇଙ୍କୁ ୫ବର୍ଷ କାରାଦଣ୍ଡ

ବାରିପଦା: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଦୋଷୀ ଜଣେ ପୋଲିସ ଏସ୍‌ଆଇଙ୍କୁ ୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧୫ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଲେ ବାରିପଦା ଟାଉନ ଥାନାର ତତ୍କାଳୀନ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ସଚ୍ଚିଦାନନ୍ଦ କିଷାନ। ମାମଲାର ବିବରଣୀ ଅନୁଯାୟୀ, ବାଙ୍ଗିରିପୋଷି ଥାନା ଅଧୀନ କଳାବାଡ଼ିଆ ଗ୍ରାମର ବିଶ୍ୱଜିତ ଶିଖରଙ୍କ ଏକ ପାରିବାରିକ କଳହ ମାମଲା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ମାମଲାକୁ ରଫାଦଫା କରିବା ପାଇଁ ଏସ୍‌ଆଇ କିଷାନ ୧୫ହଜାର ଟଙ୍କାର ଲାଞ୍ଚ ମାଗିଥିଲେ। ବିଶ୍ୱଜିତ ୧୫ହଜାର ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ ୫ହଜାର ଟଙ୍କା ଦେବେ ବୋଲି କଥା ଛିଣ୍ଡି ଥିଲା। ଏନେଇ ବିଶ୍ୱଜିତ କଟକ ସ୍ଥିତ ଦୁର୍ନୀତି ନିବାରଣ ସେଲ୍‌ର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ମୁତାବକ କଟକ ଭିଜିଲାନ୍ସ ସେଲ୍‌ରେ ୨୭ା୨ା୨୦୧୮ରେ ଏକ ମାମଲା ରୁଜୁ ହୋଇଥିଲା। ପୂର୍ବ ଯୋଜନା ମୁତାବକ ୨୮ତାରିଖରେ ବିଶ୍ୱଜିତଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଏସ୍‌ଆଇ କିଷାନଙ୍କୁ ମାଡ଼ି ବସିଥିଲେ। ତାଙ୍କଠାରୁ ରାସାୟନିକ ବୋଳା ୫ହଜାର ଟଙ୍କା ଜବତ ହୋଇଥିଲା। ଏସଂକ୍ରାନ୍ତରେ ଏକ ମାମଲା(ନଂ.୩/୧୮) ରୁଜୁ କରି ଭିଜିଲାନ୍ସ ବିଭାଗ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ସଚ୍ଚିଦାନନ୍ଦ ବର୍ତ୍ତମାନ ବାରିପଦାସ୍ଥିତ ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି। ତେବେ ରାୟ ପ୍ରକାଶ ପାଇବା ପରେ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ଶାନ୍ତନୁ ଦାସ ପରିଚାଳନା କରୁଥିଲେ।

Related Articles

Back to top button