ପୁରୀ ରେଳଷ୍ଟେସନରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପହଞ୍ଚିଲେ ୫୫୦ ଜଣ ତୀର୍ଥଯାତ୍ରୀ

ପୁରୀ: ଆଜି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ପୁରୀ ରେଳଷ୍ଟେସନରେ ପହଞ୍ଚିଛି । ସଫଦରଜଙ୍ଗ ଷ୍ଟେସନରେ ପତାକା ଦେଖାଇ ଗତ ବୁଧବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳସେବାର ଶୁଭରାମ୍ଭ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି ଟ୍ରେନରେ ସମୁଦାୟ ୫୫୦ ଜଣ ତୀର୍ଥଯାତ୍ରୀ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର, ବୈଦନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ପରେ ପୁରୀ ରେଳଷ୍ଟେସନରେ ପହଞ୍ଚିଛନ୍ତି। ରେଳବାଇ ଅଧିକାରୀମାନେ ତୀର୍ଥଯାତ୍ରୀମାନଙ୍କୁ ଫୁଲ,ଚନ୍ଦନ, ମାଳ ଦେଇ ଓ ବାଜା ବଜେଇ ସ୍ୱାଗତ କରିଛନ୍ତି।

ଗତ ବୁଧବାର ଦିନ ଏହି ଟ୍ରେନ ଦିଲ୍ଲୀରୁ ସଫଦରଜଙ୍ଗ ରେଳ ଷ୍ଟେସନରୁ ବାହାରି ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଦେଇ ଶେଷରେ ଓଡିଶାରେ ପହଞ୍ଚିଛି। ଏହି ଟ୍ରେନରେ ବିଶେଷ କରି ଭାରତ ଓ ଓଡିଶାର କଳା ସଂସ୍କୃତିର ଝଲକ୍ ଦେଖିବାକୁ ମିଳିଛି। ଟ୍ରେନ ଭିତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଓ ରାମଚନ୍ଦ୍ରଙ୍କ ମୂର୍ତ୍ତି ସମେତ ବିଭିନ୍ନ ଦେବାଦେବୀଙ୍କ ଫଟୋ ସ୍ଥାନ ପାଇଛି। ଏଥିରେ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ବିଷୟବସ୍ତୁକୁ ଚିତ୍ରଣ କରାଯାଇଥିବା ବେଳେ ଏହା ମାଧ୍ୟମରେ ଜଗନ୍ନାଥଙ୍କ ସହିତ ଜଡ଼ିତ ଅନେକ କଥାବସ୍ତୁ ପ୍ରଦର୍ଶିତ କରାଯାଇଛି ।
ଏହା ସହ ଟ୍ରେନ୍ ଭିତରେ ଯାତ୍ରୀଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ଭଜନ,କୀର୍ତ୍ତନ, ଭଗବାନଙ୍କ ଆଳତୀ ଇତ୍ୟାଦି ବ୍ୟବସ୍ଥା ରହିଥିବାରୁ ଯାତ୍ରୀ ମାନେ ଖୁସି ପ୍ରକାଶ କରିଛନ୍ତି।

ପୁରୀକୁ ଆସିଥିବା ସମସ୍ତ ଯାତ୍ରୀମାନେ ଆଜି ମହାପ୍ରଭୁଙ୍କ ଦର୍ଶନ କରି ଆସନ୍ତାକାଲି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ଆସନ୍ତାକାଲି ଭୁବନେଶ୍ୱରରେ ମଧ୍ୟ ଯାତ୍ରୀମାନେ ଖଣ୍ଡଗିରି, ଉଦୟଗିରି, ପ୍ରଭୂ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ସ୍ଥିରିକୃତ ହୋଇଥିବା ବେଳେ ଓଡିଶାର ସମସ୍ତ ଐତିହାସିକ ପର୍ଯ୍ୟଟନକ୍ଷେତ୍ର ପରିଦର୍ଶନ କରିବାର ସୁଯୋଗ ପାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

Related Articles

Back to top button