ତ୍ରୁଟିପୂର୍ଣ୍ଣ ଓପିଏସ୍‌ସି ପରୀକ୍ଷାସୂଚୀରେ ବହୁ ଆଶାୟୀ ୟୁପିଏସ୍‌ସି ପରୀକ୍ଷାରୁ ବଞ୍ଚିତ ହେବେ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ବିଚିତ୍ର ପରୀକ୍ଷା ସୂଚୀ ଏବେ ନିଯୁକ୍ତି ଆଶାୟୀଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଯାଉଛି। ଏହାକୁ ନେଇ ଆଶାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଓପିଏସ୍‌ସି କର୍ତ୍ତୃପକ୍ଷ ତୁରନ୍ତ ପରୀକ୍ଷା ସୂଚୀ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିବାବେଳେ ୟୁପିଏସ୍‌ସି ପରୀକ୍ଷା କାର୍ଯ୍ୟସୂଚୀକୁ ବିଚାରକୁ ନିଆଯାଇ ନାହିଁ। ପ୍ରଥମେ ୟୁପିଏସ୍‌ସି ସୂଚୀ ଜାରି କରିଥିବାରୁ ଓପିଏସ୍‌ସି ତାହାକୁ ଧ୍ୟାନରେ ରଖିବା ଆବଶ୍ୟକ ଥିଲା। ବର୍ତ୍ତମାନ ଓପିଏସ୍‌ସି ପରୀକ୍ଷାସୂଚୀରେ ବହୁ ଆଶାୟୀ ୟୁପିଏସ୍‌ସି ପରୀକ୍ଷାରୁ ବଞ୍ଚିତ ହେବେ। ୟୁପିଏସସି ପ୍ରିଲିମ୍ ପରୀକ୍ଷା ତାରିଖ ସହିତ ଓପିଏସ୍‌ସି ମୁଖ୍ୟ ଲିଖିତ ପରୀକ୍ଷା ମେଳ ଖାଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି। ଏପରିକି ୟୁପିଏସ୍‌ସିର ଇଣ୍ଟରଭିଉ ସମୟରେ ଓପିଏସ୍‌ସିର ଲିଖିତ ମେନ୍ ପରୀକ୍ଷା ଅନୁଷ୍ଠିତ ହେଉଥିବା ଏବଂ ମାତ୍ର ଗୋଟିଏ ଦିନର ଅନ୍ତର ଥିବାରୁ ବହୁ ଆଶାୟୀ ଓପିଏସସି ପରୀକ୍ଷାରୁ ବଂଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଦିଲ୍ଲୀ‌ରେ ୟୁପିଏସ୍‌ସିରେ ଇଣ୍ଟରଭିଉ ଦେବାକୁ ‌ଯାଇଥିବା ଆଶାୟୀ ଜଣକ ଠିକ୍ ପରଦିନ କିମ୍ବା ପୂର୍ବଦିନ ଏଠାରୁ ପରୀକ୍ଷା ସାରି କିଭଳି ୟୁପିଏସଇ ଇଣ୍ଟରଭିଉ ଦେବେ ତାକୁ ନେଇ ପ୍ରଶ୍ନ ଉଠୁଛି।

ଓପିଏସ୍‌ସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ ଆସନ୍ତା ଫେବ୍ରୁଆରି ୧୯ ତାରିଖରୁ ମାର୍ଚ୍ଚ ମାସ ୧୨ ତାରିଖ ମଧ୍ୟରେ ଓସିଏସ୍ ମେନ୍(ଲିଖିତ ପରୀକ୍ଷା) ଅନୁଷ୍ଠିତ ହେବ। ଏଥିପାଇଁ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରି ୧୯ ତାରିଖରେ ଓଡ଼ିଆ ଭାଷା ଓ ଇଂରାଜୀ ଭାଷା ଥିବା ବେଳେ ସେହି ଦିନ ୟୁପିଏସସିର ଇଂଜିନିୟରିଂ ସର୍ଭିସ ପ୍ରିଲିମ ଓ କମ୍ବାଇନ୍‌ଡ ଜିଓ ସାଇନଟିଷ୍ଟ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ତେବେ, ଏହି ଟ୍ରେଡ( ବିଷୟ)ରେ ୟୁପିଏସସି ପ୍ରିଲିମ୍ ଦେଉଥିବା ଅଶାୟୀ ପ୍ରାର୍ଥୀ କିଭଳି ଓପିଏସସିର ମେନ୍ ପରୀକ୍ଷା ଦେବେ, ତାକୁ ନେଇ ପ୍ରଶ୍ନ ଉଠୁଛି। ଏଥିସହିତ ୟୁପିଏସ୍‌ସି ସିଭିଲ୍‌ ସର୍ଭିସର ମୌଖିକ(ଇଣ୍ଟରଭିଉ) ପରୀକ୍ଷା ଆସନ୍ତା ଫେବ୍ରୁଆରି ୨୦, ୨୨ ଓ ମାର୍ଚ୍ଚ ୭ ଓ ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ହୋଇଛି। ତେବେ ସେହି ସମାନ ତାରିଖରେ ଓପିଏସ୍‌ସି ପରୀକ୍ଷା ନ ଥିଲେ ମଧ୍ୟ ପୂର୍ବ ଦିନ ଓ ତାର ଠିକ୍ ପର ଦିନ କିନ୍ତୁ ପରୀକ୍ଷା ରଖାଯାଇଛି। ଓପିଏସସିର ପରୀକ୍ଷା ଆସନ୍ତା ଫେବ୍ରୁଆରି ୧୯ ତାରିଖରେ ଓଡ଼ିଆ, ଇଂରାଜୀ, ୨୧ରେ ଜେନେରାଲ ଷ୍ଡଡିଜ ପେପର-୧ ଓ ୨, ୨୩ ତାରିଖରେ ଇଂରାଜୀ ପ୍ରବନ୍ଧ ରହିଛି। ସେହିଭଳି ମାର୍ଚ୍ଚ ୬ରେ ଓପିଏସସିର ଇଣ୍ଡିଆନ୍‌ ଲାଙ୍ଗୁଏଜ୍, ଲିଟରେଚର, ପଲିଟିକାଲ ସାଇନସ୍‌ ଓ ଇଣ୍ଟରନ୍ୟାସନାଲ ରିଲେସନ୍ ବିଷୟରେ ଲିଖିତ ପରୀକ୍ଷା ଥିବାବେଳେ ଠିକ୍ ପରଦିନ ଅର୍ଥାତ ୭ ତାରିଖରେ ସିଭିଲ୍ ସର୍ଭିସ୍‌ ଇଣ୍ଟରଭିଉ ଅନୁଷ୍ଠିତ ‌ହେବ। ତେବେ ଏହି ଦୁଇ ପରୀକ୍ଷା ପାଇଁ ‌‌ଯୋଗ୍ୟତା ଅର୍ଜନ କରିଥିବା ବ୍ୟକ୍ତି କିଭଳି ପରୀକ୍ଷା ପ୍ରସ୍ତୁତି କରିବେ ତାକୁ ନେଇ ଆପତ୍ତି ଉଠାଇଛନ୍ତି।

Related Articles

Back to top button