ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଭୁବନେଶ୍ୱର କରାଗଲା ଏୟାରଲିଫ୍ଟ
ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ରାଜ୍ୟରେ ଆଇନ୍ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ASI ଗୋପାଳ ଦାସ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରୁ ନବ ଦାସଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ ତାଙ୍କୁ ଝାରସୁଗୁଡାରୁ ଏୟାର ଲିଫ୍ଟ ଯୋଗେ ଭୁବବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଉଛି । ଫଳରେ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାତୁ କଡାକଡି କରାଯିବା ସହ ଗ୍ରୀନ୍ କରିଡରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ବ୍ରଜରାଜନଗର SDPO ଗୁପ୍ତେଶ୍ୱର ଭୋଇଙ୍କ ସୂଚନା ଅନୁସାରେ, ଏଏସ୍ଆଇ ଗୋପାଳ ଦାସ ମନ୍ତ୍ରୀଙ୍କୁ ଗୁଳିମାଡ଼ କରିଛନ୍ତି । ଏଏସ୍ଆଇ ଗୋପାଳ ଦାସ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗୋପାଳ ତାଙ୍କ ସର୍ଭିସ୍ ରିଭରବଲରୁ ମନ୍ତ୍ରୀ ନବ ଦାସଙ୍କୁ କାରରୁ ଓହ୍ଲାଇବା ବେଳେ ଗୁଳି କରିଛନ୍ତି । ମନ୍ତ୍ରୀଙ୍କ ଦେହରେ ୨ ରାଉଣ୍ଡ ଗୁଳି ବାଜିଛି ।
ତେବେ ଏଏସ୍ଆଇ ଗୋପାଳ ଦାସ କେଉଁ ପରିସ୍ଥିତିରେ ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କଲେ ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ଗୋପାଳଙ୍କୁ ଅଟକ ରଖି ପଚରାଉଚରା କରୁଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତମାମ୍ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମନ୍ତ୍ରୀଙ୍କୁ ଏଏସ୍ଆଇ ଗୁଳିମାଡ଼ କରିବା ଅନେକ ପ୍ରଶ୍ନ ଉଠାଇଛି ।