ଏଣିକି ୬ଷ୍ଠରୁ ୮ମ ଶ୍ରେଣୀର ପିଲାଙ୍କ ପାଇଁ ମଲ୍ଟି ପ୍ୟାଟର୍ଣ୍ଣ ପ୍ରଶ୍ନପତ୍ର ଆସିବ

ଭୁବନେଶ୍ୱର: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଆଗକୁ ସ୍କୁଲ ରୂପାନ୍ତରଣ ଭଳି ଶିକ୍ଷାଦାନ ପଦ୍ଧତିରେ ମଧ୍ୟ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଏଣିକି ୬ଷ୍ଠରୁ ୮ମ ଶ୍ରେଣୀର ପିଲାଙ୍କ ପାଇଁ ମଲ୍ଟି ପ୍ୟାଟର୍ଣ୍ଣ ପ୍ରଶ୍ନପତ୍ର ଆସିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିପରି ସଫଳତା ଲାଭ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା, ପରୀକ୍ଷା ପରିଚାଳନାରେ ସୁଧାର ଅଣାଯିବ । ପରୀକ୍ଷାରେ ଉଭୟ ଅବଜେକ୍ଟିଭ ଓ ଅତି ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନକୁ ଗୁରୁତ୍ୱ ଦିଆଯିବ । ଜାତୀୟ ସ୍ତରର ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବା ସହ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ପରୀକ୍ଷା ସିଷ୍ଟମକୁ କାର୍ଯ୍ୟକାରୀ କରାଯିବ । ୬-୮ ଶ୍ରେଣୀ ପିଲାଙ୍କ ପାଇଁ ପରୀକ୍ଷାରେ ଦୀର୍ଘମୂଳକ ପ୍ରଶ୍ନପତ୍ର ବଦଳରେ ସଂକ୍ଷିପ୍ତ ପ୍ରଶ୍ନପତ୍ର ଆସିବ । କେବଳ ଗଣିତ ଓ ବିଜ୍ଞାନ ବିଷୟକୁ ଏଥିରୁ ବାଦ୍ ଦିଆଯିବ ।

ଶହେ ମାର୍କର ମଲ୍ଟି ପ୍ୟାଟର୍ଣ୍ଣ ପ୍ରଶ୍ନପତ୍ର ପାଇଁ ଦେଢ଼ଘଣ୍ଟା ସମୟ ଦିଆଯିବ । ପିଲାମାନେ ସଂକ୍ଷିପ୍ତ ଉତ୍ତର କିପରି ଭଲଭାବେ ଦେଇପାରିବେ, ସେଥିପାଇଁ ଶିକ୍ଷକମାନେ ଶ୍ରେଣୀଗୃହରେ ଧ୍ୟାନ ଦେବେ । ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଅତି ସଂକ୍ଷିପ୍ତ ଓ ମଲ୍ଟି ପ୍ୟାଟର୍ଣ୍ଣ ପ୍ରଶ୍ନପତ୍ର ବ୍ୟବସ୍ଥା ଲାଗୁ ହୋଇଛି । ସରକାରୀ ସ୍କୁଲର ପିଲାମାନେ କିପରି ଆଗକୁ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

Related Articles

Back to top button