ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୟୁଏଇ ସରକାର ଦେଲେ ଗୋଲ୍ଡେନ ଭିସା

ଭୁବନେଶ୍ୱର : ବିଶିଷ୍ଟ ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କୁ ଚଳଚ୍ଚିତ୍ର ତଥା ଟେଲିଭିଜନ ଜଗତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେଲିବ୍ରିଟି ଆର୍ଟିଷ୍ଟ କ୍ୟାଟେଗୋରୀରେ ଦୁବାଇ(ୟୁଏଇ) ସରକାରଙ୍କ ଦ୍ଵାରା ଗୋଲ୍ଡେନ ଭିସା ପ୍ରଦାନ କରାଯାଇଛି। ଓଡ଼ିଆ, ବଙ୍ଗଳା, ହିନ୍ଦୀ ଏବଂ ମାଲାୟାଲମ ଭାଷାରେ ୩୩ଟି ଚଳଚ୍ଚିତ୍ରର ସେ ଜଣେ ସଫଳ ପ୍ରଯୋଜକ। ଓଡ଼ିଶାରେ ନିଜର ସବୁଠାରୁ ବଡ଼ ଘରୋଇ ଷ୍ଟୁଡିଓରେ ଏକ ଦଶନ୍ଧି ଧରି ୭୦୦୦ ରୁ ଅଧିକ ଟେଲିଭିଜନ ଏପିସୋଡ୍ କରିବା ସହ ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଅକ୍ଷୟଙ୍କୁ ଶାହରୁଖ ଖାନ୍, ମୋହନଲାଲ, ମାମୁଟି, ସୁନୀଲ ସେଟ୍ଟୀ, ସୋନୁ ନିଗମଙ୍କ ପରି ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ସମକକ୍ଷ ଏହି ଭିସା ପ୍ରଦାନ କରାଯାଇଥିବାରୁ ଏହା ନିଶ୍ଚିତ ଭାବରେ ରାଜ୍ୟ ପାଇଁ ସମ୍ମାନ ତଥା ଗୌରବର ବିଷୟ ।

ଦୁବାଇରେ ଏକ ବିଶ୍ୱସ୍ତରୀୟ କଳାକାର ସମ୍ପ୍ରଦାୟ ସୃଷ୍ଟି କରିବା ପାଇଁ ମୁଁ ଦୁବାଇ ସରକାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଦୁବାଇର ଶାସକ ମହାମହିମ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟୁମଙ୍କ ପ୍ରଗତିଶୀଳ ନୀତିକୁ ଅଶେଷ ଧନ୍ୟବାଦ ଜଣାଉଛି। ସେମାନଙ୍କ ମଧ୍ୟରୁ ଜଣେ ଭାବରେ ମୁଁ ଅଭିହିତ ହୋଇଥିବାରୁ ମୁଁ ଖୁସି ଏବଂ ଗର୍ବିତ ବୋଲି ଅକ୍ଷୟ  ପ୍ରତିକ୍ରିୟା ରଖିଛନ୍ତି। ତେବେ ସେ ଓଡ଼ିଶାରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅଭିବୃଦ୍ଧି ପାଇଁ ତାଙ୍କର ଅବଦାନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ ମତ ପ୍ରକାଶ କରିଛନ୍ତି। ଏହାସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଟିମ୍‌କୁ ଧନ୍ୟବାଦ ଦେଇ ଅକ୍ଷୟ କହିଛନ୍ତି ଯେ, ଖୁବଶୀଘ୍ର ଭୁବନେଶ୍ୱର ଏବଂ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ହେବ। ଦୁବାଇ ଏବଂ ଓଡ଼ିଶା ମଧ୍ୟରେ ମୋର ସମୟ ସମାନ ଭାବରେ ବାଣ୍ଟିବାକୁ ମୁଁ ପ୍ରସ୍ତାବ ଦେଇଛି ବୋଲି ସେ କହିଛନ୍ତି।

ଦୁଇଟି ଜାତୀୟ ପୁରସ୍କାର, ୪୩ ଟି ରାଜ୍ୟ ପୁରସ୍କାର ଏବଂ ୧୬ଟି ଅନ୍ତର୍ଜାତୀୟ ପୁରସ୍କାରର ଅଧିକାରୀ ଅକ୍ଷୟ ପରିଜା ଓଡ଼ିଶା ସିନେ ଏବଂ ଟେଲିଭିଜନ ଜଗତ ସହିତ ଏକ ଭାବପ୍ରବଣତାର ସମ୍ପର୍କ ରଖିଆସିଛନ୍ତି। ଏଥିସହ କଳାକାର ସମାଜ ପାଇଁ ଭଲ ବିଷୟବସ୍ତୁ ଏବଂ ନିଯୁକ୍ତି ସୃଷ୍ଟି କରିବାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି।

Related Articles

Back to top button