ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀଙ୍କୁ ପଚରାଉଚରା କଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ବ୍ରହ୍ମପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀଙ୍କୁ ପଚରାଉଚରା କଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଗତକାଲି ଗୋପାଳଙ୍କ ବଡ ଭାଇଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଉଠାଇ ନେଇଛି। ଏହାପରେ ଆଜି ପୁଣିଥରେ ଗୋପାଳ ରହୁଥିବା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ସ୍ଥିତ ଘରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ଉ କରିଥିଲା। ଏହି ଘରେ ଏବେ ଗୋପାଳଙ୍କ ପତ୍ନୀ ଓ ପୁତୁରା ଥିବା ସୂଚନା ରହିଛି।

କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିବା ପରେ ଗଣମାଧ୍ୟମକୁ ଗୋପାଳଙ୍କ ପତ୍ନୀ ଜୟନ୍ତୀ କହିଛନ୍ତି, ତାଙ୍କ ସ୍ୱାମୀ ଖାଉଥିବା ମେଡିସିନ୍ ବିଷୟରେ ତଦନ୍ତକାରୀ ଟିମ୍‌ ପଚାରିଥିଲେ। ସେ ସମସ୍ତ ଔଷଧ ଏବଂ ପ୍ରେସକ୍ରିପସନ ଦେଖାଇଥିବା କହିଛନ୍ତି। ତଦନ୍ତରେ ସେ ସମ୍ପୂର୍ଣ୍ଣ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି। ହେଲେ ଏଯାଏଁ ତାଙ୍କ ଦେଢ଼ଶୁରଙ୍କୁ ଛାଡ଼ିନାହାନ୍ତି ବୋଲି କହିଛନ୍ତି।

ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଏବେ 4 ଦିନିଆ ରିମାଣ୍ଡରେ ନେଇଛି। ପଚରାଉଚରା କରିବା ବେଳେ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ଅଭିଯୁକ୍ତ ସେ ନେଇ ସୂଚନା ମିଳିବ ବୋଲି କ୍ରାଇମବ୍ରାଞ୍ଚ ଆଶା ରଖିଛି। FARO 3-D ସ୍କାନର ସାହାୟ୍ୟରେ ସାଇଣ୍ଟିଫିକ୍ ଅଫିସର ଓ ବାଲାଷ୍ଟିକ୍ ଏକ୍ସପର୍ଟଙ୍କ ସହାୟତାରେ ଗାଡି ଓ କ୍ରାଇମ୍ ସ୍ପଟ୍ ଯାଞ୍ଚ କରାଯାଉଛି।

ଜଣେ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ କ୍ରାଇମସ୍ପଟରେ ଉପସ୍ଥିତ ଥିବା ସ୍ୱର୍ଗତ ନେତାଙ୍କ ସମର୍ଥକଙ୍କ ସମେତ ସାକ୍ଷୀମାନଙ୍କୁ ପଚରାଉଚରା କରୁଛନ୍ତି। ଜଣେ ଡିଏସପିଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍ ଏବଂ କର୍ମଚାରୀମାନେ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସଙ୍କ ଚିକିତ୍ସା ଏବଂ ଆର୍ଥିକ ନେଣଦେଣର ଯାଞ୍ଚ କରୁଛନ୍ତି। ଅଭିଯୁକ୍ତଙ୍କ ପୈତୃକ ଗାଁରେ ଟିମ୍ ପକ୍ଷରୁ ପଡ଼ୋଶୀ ଓ ଗ୍ରାମବାସୀଙ୍କ ଯାଞ୍ଚ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସେହିପରି ନୂଆଦିଲ୍ଲୀସ୍ଥିତ ସିଏଫଏସଏଲର ବିଶେଷଜ୍ଞଙ୍କ ଦ୍ୱାରା ଅଭିଯୁକ୍ତର ଫରେନ୍ସିକ ସାଇକୋଲୋଜିକାଲ ଆସେସମେଣ୍ଟ ଏବଂ ଲେୟର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ  ହେବ ବୋଲି ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ, ଗୁଳି ଲାଗିବା କାରଣରୁ ଛାତିରେ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। ଏହାବ୍ୟତୀତ ତଦନ୍ତକାରୀ ଟିମ୍ ସମସ୍ତ ପ୍ରକାର ପ୍ରମାଣ ଯୋଗାଡ କରୁଛନ୍ତି।
ଘଟଣାସ୍ଥଳରେ ସିଆଇଡି କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଉପସ୍ଥିତ ରହି ଘଟଣାର ତଦାରଖ କରୁଛନ୍ତି। ମାମଲାର ତଦନ୍ତ ଜାରି ରହିଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ଯ, ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଆଉ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବାକୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ସୁପାରିଶ କରିବା ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶ୍ରୀଯୁକ୍ତ ଜେ.ପି.ଦାସଙ୍କୁ ନିଯୁକ୍ତ କରାଯାଇଛି।

Related Articles

Back to top button