୨୦୧୯ରୁ ଏପର୍ଯ୍ୟନ୍ତ ୨୧ ଥର ବିଦେଶ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ, ଖର୍ଚ୍ଚ ହୋଇଛି ୨୨.୭୬ କୋଟି ଟଙ୍କା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଷ୍ଟ୍ରପତି ଓ ବୈଦେଶିକ ବ୍ୟାପାରମନ୍ତ୍ରୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ଦେଇଛନ୍ତି କେନ୍ଦ୍ର ସରକାର। ୨୦୧୯ରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଥର ବିଦେଶ ଯାତ୍ରା କରିଛନ୍ତି। ଏଥିରେ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଗତକାଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ।
ଗୁରୁବାର ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କ ବିଦେଶ ଗସ୍ତର ଖର୍ଚ୍ଚ ନେଇ ପ୍ରଶ୍ନ କରାଯାଇଥିଲା। ଓ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଓ ଏଥିପାଇଁ ଲାଗିଥିବା ସରକାରୀ ଖର୍ଚ୍ଚକୁ ନେଇ ପ୍ରଶ୍ନ କରାଯାଇଥିଲା। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଏହାର ଲିଖିତ ଉତ୍ତର ରଖିଥିଲେ। ୨୦୧୯ରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଥର ବିଦେଶ ଯାତ୍ରା କରିଥିବା ବେଳେ ରାଷ୍ଟ୍ରପତି ୮ ଥର ବିଦେଶ ଯାତ୍ରା କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।
ମୋଦୀଙ୍କ ଗସ୍ତରେ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତରେ ମୋଟ ୬.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ୮୬ ଥର ବିଦେଶ ଗସ୍ତ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।