ତଦନ୍ତ ସମୟରେ ପିଡ଼ିତାଙ୍କ କୁମାରୀତ୍ୱ ପରୀକ୍ଷା କରିବା ଅସମ୍ବିଧାନିକ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ତଦନ୍ତ ସମୟରେ ମହିଳା/ଯୁବତୀଙ୍କ କୁମାରୀତ୍ୱ ପରୀକ୍ଷା କରିବା ଅସାମ୍ବିଧାନିକ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ବହୁଚର୍ଚ୍ଚିତ କେରଳ ସିଷ୍ଟର ଅଭୟା ମର୍ଡର କେସ୍ ୧୯୯୨ର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ମାମଲାରେ ପିଡ଼ିତାଙ୍କ କୁମାରିତ୍ୱ ପରୀକ୍ଷା ସମ୍ବିଧାନର ଧାରା ୨୧ର ଉଲଂଘନ ଅଟେ। ଅପରାଧିକ ମାମଲା ଶେଷ ହେବା ପରେ ମାନବିକ ଅଧିକାରର ଉଲ୍ଲଂଘନ ପାଇଁ କ୍ଷତିପୂରଣ ମାଗିବାକୁ କୋର୍ଟ ସିଷ୍ଟର ସେଫିଙ୍କୁ ସ୍ୱାଧୀନତା ଦେଇଥିଲେ।

ସିବିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୋର୍ଟ କହିଛନ୍ତି ଯେ ସେଫିଙ୍କ ପାଇଁ ଆଇନଗତ ପ୍ରତିକାର ଉପଲବ୍ଧ। ଆବେଦନକାରୀଙ୍କ ତରଫରୁ ଯୁକ୍ତି କରାଯାଇଥିଲା ଯେ ତାଙ୍କର କୁମାରୀତ୍ୱ ପରୀକ୍ଷା ରିପୋର୍ଟ ଲିକ୍ ହୋଇଛି ଏବଂ ହାଇମେନୋପ୍ଲାଷ୍ଟିର ମିଥ୍ୟା କାହାଣୀ ପ୍ରଚାର ହୋଇଛି। ତଦନ୍ତକାରୀ ଅଧିକାରୀମାନେ ଏ ବାବଦରେ ସମ୍ବେଦନଶୀଳ ହେବା ପାଇଁ କୋର୍ଟ ମଧ୍ୟ ଅନୁସନ୍ଧାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

୧୯୯୨ ରେ କେରଳର ସିଷ୍ଟର ଅଭୟ ହତ୍ୟା ମାମଲାରେ ସିବିଆଇ କୋର୍ଟ ସିଷ୍ଟର ସେଫିଙ୍କୁ ୨୦୨୦ ରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୧୯୯୨ ରେ ସିଷ୍ଟର ଅଭୟଙ୍କର ଦେହାନ୍ତ ହୋଇଥିଲା। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସିଷ୍ଟର ଅଭୟାଙ୍କ ମୃତଦେହ ଉଦ୍ଧାର ୧୯୯୨ ମସିହା ମାର୍ଚ୍ଚ ୨୭ ତାରିଖରେ କେରଳର କୋଟ୍ଟାୟମ ଜିଲ୍ଲାର ସେଣ୍ଟ ପିଉସ୍‌ କନଭେଣ୍ଟର ଏକ କୂଅ ମଧ୍ୟରୁ ଉଦ୍ଧାର କରା ଯାଇଥିଲା। ସେତେବେଳେ ସ୍ଥାନୀୟ ପୁଲିସ ଓ କ୍ରାଇମବ୍ରାଞ୍ଚ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଥିଲେ।

ତେବେ, ୧୯୯୩ ମସିହାରେ ସିବିଆଇ ଏହି ମାମଲାର ତଦନ୍ତ ନିଜ ହାତକୁ ନେଇଥିଲା ଯେତେବେଳେ ଅଭୟା ଯେଉଁ କନ୍ନାୟା କ୍ୟାଥୋଲିକ ଚର୍ଚ୍ଚର ସଦସ୍ୟା ଥିଲେ, ସେଠାରେ ଅନ୍ୟତମ ସିଷ୍ଟର ଥିବା ବାନିକାସିଆ, ମଦର ସୁପିରିୟର ଏବଂ ଅନ୍ୟ ୬୭ ଜଣ ନନ୍‌ ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ କରୁଣାକରନଙ୍କୁ ଚିଠି ଲେଖି ଏହି ଘଟଣାର ତଦନ୍ତ ଠିକ୍‌ ଭାବେ ହୋଇ ନଥିବା ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ଯାହାପାରେ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଥିଲା।

୨୦୦୯ରେ ସିବିଆଇ ନିଜ ଚାର୍ଜସିଟ୍‌ରେ କହିଥିଲା ଯେ ମୃତା ସିଷ୍ଟର ଅଭୟା, ସିଷ୍ଟର ସେଫି, ଫାଦର କୋଟ୍‌ତୁର ଏବଂ ତୃତୀୟ ଅଭିଯୁକ୍ତ ଫାଦର ଜୋସ୍‌ ପୁଥ୍ରିକ୍କାୟିଲଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଡିସେମ୍ବର ୨୦୨୦ରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ଏହି ରାୟକୁ ନିଶ୍ଚିତ କରି କହିଥିଲେ ଯେ ସିଷ୍ଟର ସେଫି ଏବଂ ଫାଦର କୋଟ୍‌ତୁର ପୀଡ଼ିତା ଅଭୟାଙ୍କ ମୁଣ୍ଡରେ ମାରଣାନ୍ତକ ଆଘାତ ଦେଇଥିଲେ, ଯାହା ଫଳରେ ଅଭୟାଙ୍କର ମୃତ୍ୟୁ ଘଟିଥିଲା।

ସ୍ୱତନ୍ତ୍ର ସିବିଆଇ ଅଦାଲତ ସିଷ୍ଟର ସେଫି ଏବଂ ଫାଦର କୋଟତୁରଙ୍କୁ ଅଭୟାଙ୍କ ହତ୍ୟାକାରୀ ଭାବେ ଦୋଷୀ ସାବ୍ୟସ୍ତ କରି ଆଇପିସିର ଧାରା ଅନୁଯାୟୀ ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ, ଗତ ବର୍ଷ ଜୁନ୍‌ ମାସରେ କେରଳ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସ୍ଥଗିତ ରଖିବା ସହ ଦୋଷୀମାନଙ୍କୁ ଜାମିନ ପ୍ରଦାନ କରିଥିଲେ।

Related Articles

Back to top button