ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ମହାଶିବରାତ୍ରି। ଏହି ପରିପ୍ରେକ୍ଷୀରେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ତଥା ମହାଶିବରାତ୍ରି ଆଡ଼ମ୍ବରରେ ପାଳନ ହେବ। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବିଭିନ୍ନ ବିଭାଗକୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ନୀତିନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତି, ୩ଟା ୩୦ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପରେ ଅନ୍ୟାନ୍ୟ ନୀତି ହୋଇ ରାତି ୧୦ଟାରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠାଯିବା ନେଇ ସ୍ଥିର ହୋଇଛି। ଶିବରାତ୍ରିରେ ମନ୍ଦିର ଭିତରକୁ ମୋବାଇଲ, କ୍ୟାମେରା ନେବା ଉପରେ କଟକଣା କରାଯାଇଛି। ଏନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯିବ। ଏଥିସହ ଅସ୍ଥାୟୀ ଚପଲ ଷ୍ଟାଣ୍ଡ ସଂଖ୍ୟା ବୃଦ୍ଧି କରାଯିବ। ବୈଠକରେ ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ପରି ଅନ୍ୟ କେତେକ ପ୍ରମୁଖ ସେବାୟତ ଅନୁପସ୍ଥିତ ଥିଲେ। ନୂତନ ଭାବେ ନିର୍ବାଚିତ କର୍ପୋରେଟର ନିଜ ଅଞ୍ଚଳର କର୍ମକର୍ତ୍ତାଙ୍କୁ ଦୃଷ୍ଟିରେ ରଖି ପାସ୍‌ ସଂଖ୍ୟା ବଢ଼ାଇବାକୁ ଦାବି କରିଥିଲେ। ଏହି ପ୍ରସ୍ତାବକୁ ଅନ୍ୟ ଏକ ଅନ୍ତରୀଣ ବୈଠକରେ ସ୍ଥିର କରାଯିବାକୁ କୁହାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସି ମେୟର ସୁଲୋଚନା ଦାସ, ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର, ଜୋନ-୨ ଏସିପି ଅନିରୁଦ୍ଧ ରାଉତରାୟ, ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ବିଏମ୍‌ସି ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢ଼ୀ, ଉପଜିଲାପାଳ ଦେବବ୍ରତ ସାହୁ, କର୍ପୋରେଟର ଚନ୍ଦ୍ରଶେଖର ମଲ୍ଲିଆ, ଶିବ ପ୍ରସାଦ ବେହେରା, ବିରଞ୍ଚତ୍ ନାରାୟଣ ମହାସୁପକାର ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button