ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ୨ୟ ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରକୁ ଯାଇଥିଲେ । ସେଠାରେ ୨ୟ ନାସନାଲ ରାଇସ କଂଗ୍ରେସକୁ ଉଦଘାଟନ କରିଥିଲେ । ସେଠାରେ କାର୍ଯ୍ୟକ୍ରମ ସାରିବା ପରେ ଦିଲ୍ଲୀ ଫେରି ଯାଇଛନ୍ତି ।
ରାଷ୍ଟ୍ରପତି ଫେରିବା ସମୟରେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଉପସ୍ଥିତ ଥିଲେ । ଏଥି ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମେୟର ସୁଲୋଚନା ଦାସ ବି ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ତେବେ ଯାଉ ଯାଉ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରାଷ୍ଟ୍ରପତି ବେଶ କିଛି ସମୟ ଅଟକି ଯାଇଥିଲେ ।
ଉଭୟେ ବେଶ କିଛି ସମୟ ଆଲୋଚନା ବି କରିଥିଲେ । ତାଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥା ଖୁବ ସୁନ୍ଦର ଥିଲା ବୋଲି କହିଥିଲେ ରାଷ୍ଟ୍ରପତି । ସେଥିପାଇଁ ଧନ୍ୟବାଦ ବି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା । ବେଶ କିଛି ସମୟ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଷ୍ଟ୍ରପତିଙ୍କ ସମ୍ପର୍କ ଅନେକ ପୁରୁଣା । ଏଇ ମାଟିର ସନ୍ତାନ ଉଭୟେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ ଦ୍ରୌପଦୀ । ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ବୋଲି ସମ୍ବୋଧନ ମଧ୍ୟ କରିଥିଲେ ।