ଭାରତର ଦୀର୍ଘତମ ଏକ୍ସପ୍ରେସୱେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦିଲ୍ଲୀ-ଡାଉସା-ଲାଲସୋଟକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଡାଉସାଠାରୁ ଏକ୍ସପ୍ରେସ ୱେର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୯ ବର୍ଷ ଧରି ଆମେ ଭିତ୍ତିଭୂମି ପାଇଁ ବହୁ ବିନିଯୋଗ କରୁଛୁ। ରାଜସ୍ଥାନ ଏହି ବିନିଯୋଗର ବିପୁଳ ଲାଭ ପାଇବାକୁ ଯାଉଛି। ଆଜି ମୁଁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ଦେଶକୁ ଉତ୍ସର୍ଗ କରିଥିବାରୁ ଗର୍ବିତ। ଏହା ଦେଶର ସବୁଠାରୁ ବଡ ଏବଂ ଆଧୁନିକ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ। ବିକଶିତ ଭାରତର ଏହା ଆଉ ଏକ ବଡ଼ ଚିତ୍ର। ମୁଁ ଡାଉସା ବାସିନ୍ଦା ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଚଳିତ ବର୍ଷର ବଜେଟରେ ଆମେ ଭିତ୍ତିଭୂମି ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛୁ। ୨୦୧୪ଠାରୁ ଏହି ରାଶିର ପରିମାଣ ପାଞ୍ଚଗୁଣ ଅଧିକ। ରାଜସ୍ଥାନ ଏହି ବିନିଯୋଗରୁ ବହୁତ ଲାଭବାନ ହେବାକୁ ଯାଉଛି।
ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରି ଡାଉସରେ ୧୮,୧୦୦ କୋଟିରୁ ଅଧିକ ମୂଲ୍ୟର ସଡକ ପ୍ରକଳ୍ପର ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହିପରି ଆଧୁନିକ ସଡ଼କ, ଆଧୁନିକ ରେଳ ଷ୍ଟେସନ, ରେଳ ଟ୍ରାକ, ମେଟ୍ରୋ ଏବଂ ବିମାନବନ୍ଦର ନିର୍ମାଣ ହେଲେ ଦେଶର ପ୍ରଗତି ବୃଦ୍ଧି ପାଇବ। ଭିତ୍ତିଭୂମି ଉପରେ ବିନିଯୋଗ ଅଧିକ ବିନିଯୋଗକୁ ଆକର୍ଷିତ କରିଥାଏ। କେନ୍ଦ୍ର ସରକାର ମଧ୍ୟ ନିରନ୍ତର ଭିତ୍ତିଭୂମି ଉପରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି।
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦିଲ୍ଲୀ-ଡାଉସା-ଲାଲସୋଟ ବିଭାଗର ଲମ୍ବ ୨୪୬ କିଲୋମିଟର, ଯାହା ୧୨,୧୫୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଛି । ଏହି ବିଭାଗର କାର୍ଯ୍ୟ ଆରମ୍ଭ ହେବା ସହିତ ଦିଲ୍ଲୀରୁ ଜୟପୁର ଯାତ୍ରା ସମୟ ପାଞ୍ଚ ଘଣ୍ଟାରୁ ସାଢେ ତିନି ଘଣ୍ଟାକୁ ହ୍ରାସ ପାଇବ। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଭାରତର ଦୀର୍ଘତମ ଏକ୍ସପ୍ରେସୱେ ହେବ, ଯାହାର ମୋଟ ଲମ୍ବ ୧,୨୮୬ କିଲୋମିଟର।

Related Articles

Back to top button