ବଢ଼ୁଛି ନକଲି ନୋଟ କାରବାର, ବାହାର ଦେଶ ଲିଙ୍କ ଅନୁମାନ

ଭୁବନେଶ୍ୱର: ଓଡ଼ିଶାରେ ନକଲି ନୋଟ କାରବାର ବଢ଼ିବାରେ ଲାଗିଛି । ବାହାର ଦେଶର ଦଲାଲମାନେ ରାଜଧାନୀ ଭୁବନେଶ୍ୱରରେ ଏବେ ନିଜର ଆଡ୍ଡା ଜମାଇ ବସିଲେଣି । ଗତବର୍ଷ ୪୭ ଲକ୍ଷର ନକଲି ନୋଟ୍ ଜବତ ହୋଇଥିବା ବେଳେ ଏହି କାରବାର ପଛରେ ଆତଙ୍କବାଦୀ ଓ ମାଓବାଦୀଙ୍କ ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି । ଏଜେଣ୍ଟଙ୍କ ଜରିଆରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଖୋଲା ବଜାରକୁ ନକଲି ନୋଟ୍ ଛାଡ଼ୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ନେପାଳରୁ ବିହାର, ଝାଡ଼ଖଣ୍ଡ ଦେଇ ଓଡ଼ିଶାକୁ ପ୍ରବେଶ କରୁଛି ଜାଲ ନୋଟ୍ । ସେହିପରି ବାଂଲାଦେଶରୁ କୋଲକାତା, ଖଡ଼ଗପୁର ଦେଇ ଓଡ଼ିଶାରେ ନକଲି କରେନ୍ସି କାରବାର କାୟା ମେଲାଇବାରେ ଲାଗିଛି । ରାଜ୍ୟର ଜଳେଶ୍ୱର, ଯାଜପୁର, କଟକ, ଭୁବନେଶ୍ୱର ଓ ପୁରୀର ବିଭିନ୍ନ ସ୍ଥାନକୁ ଏହା ସପ୍ଲାଏ କରାଯାଉଛି । ଅନ୍ୟ ରାଜ୍ୟରୁ ଆସୁଥିବା ଏହି ନୋଟକୁ ଓଡ଼ିଶାର ଏଜେଣ୍ଟମାନେ ବିଭିନ୍ନ ସ୍ଥାନରେ ଅତି ଚତୁରତାର ସହ ପହଞ୍ଚାଉଛନ୍ତି ।

ନକଲି ନୋଟ ଛାପୁଥିବା ଦଲାଲମାନେ ୧ ଲକ୍ଷ ଟଙ୍କାକୁ ୨୦-୨୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଏହି ନକଲି ଟଙ୍କାକୁ ସାଧାରଣ ଜନତାଙ୍କୁ ଦେଇ ସେମାନଙ୍କଠାରୁ ଅସଲି ନୋଟ୍ ନେଇଯାଉଛନ୍ତି । ତେବେ ଏହି କାରବାରୁ ଅର୍ଜିତ ଅର୍ଥରେ ଆତଙ୍କବାଦୀ ସଂଗଠନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବନ୍ଧୁକ ଓ ବିସ୍ଫୋରକ ସମାଗ୍ରୀ କିଣୁଥିବା ଜଣାପଡ଼ିଛି । ଜାଲ ନୋଟ କାରବାରକୁ ନେଇ ଓଡ଼ିଶା ପୋଲିସ ୧୮୦ରୁ ଅଧିକ ମାମଲା ରୁଜୁ କରିବା ସହିତ ୧୦ ବର୍ଷ ମଧ୍ୟରେ ୩୨୩ ଜଣଙ୍କୁ ଗିରଫ କରିଛି । ଏକ ସପ୍ତାହ ତଳେ ବଲାଙ୍ଗିରରୁ ନକଲି ନୋଟ କାରବାରର ପର୍ଦ୍ଦାଫାସ ହୋଇଥିଲା । ଏହି ଚେର ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି ।

Related Articles

Back to top button