କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ୪,୭୦୩ କୋଟିର ଭେଟି : ବିନା ସୁଧରେ ଏସଏଚଜି ଗ୍ରୁପକୁ ମିଳିବ ୩୭୮ କୋଟିର ଋଣ
କେନ୍ଦୁଝର: କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଅନେକ ବିକାଶ ମୂଳକ କାମର ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ପାଇଁ ୪୭୦୩କୋଟି ମୂଲ୍ୟର ୨୫୯ଟି ପ୍ରକଳ୍ପ ଘୋଷଣା କରିଛନ୍ତି । ୧୪,୩୭୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୩୭୮ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି ।
ଆଜି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ହେଲିପ୍ୟାଡରେ ପହଞ୍ଚି ଥିଲେ । ସେଠାରୁ ସଭାସ୍ଥଳକୁ ଯାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ମଡିକାଲ କଲେଜର ଶୁଭ ଉଦଘାଟନ କରିଥିଲେ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମେଡିକାଲ୍ କଲେଜରେ ପ୍ରଥମ ବର୍ଷରେ ୧୦୦ଟି MBBS ସିଟରେ ନାମଲେଖା ହୋଇଛି।
ସୂଚନାଥାଉ କି, ୨୦୧୬ ମସିହାରେ ଏହି ମେଡିକାଲ କଲେଜର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଧରଣୀଧର କଲେଜରେ ୨୫ଟି ବ୍ଲକ ଓ ୧୮ଟି କୋଠା ନିର୍ମାଣ କରାଯାଇଛି ।
ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମିଶନ୍ ଶକ୍ତିର ମା’ ମାନଙ୍କୁ ଉଦ୍ୟୋଗୀ କରିବା ସରକାରର ଲକ୍ଷ୍ୟ । ସେଥିପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ରଣ ଦିଆଯାଇଛି । କେନ୍ଦୁଝରର ମିଶନ ଶକ୍ତିର ମା’ଙ୍କୁ ୩୮୦ କୋଟି ଟଙ୍କା ସହାୟତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ରାଜ୍ୟର ବିକାଶରେ କେନ୍ଦୁଝରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କେନ୍ଦୁଝରରେ ବହୁ ମାତ୍ରରେ ଏସସି, ଏସଟି ଲୋକ ଅଛନ୍ତି । ଚାଷୀ ଭାଇ ଅଛନ୍ତି । ମିଲେଟ୍ ମିଶନରେ ଭଲ କାମ କରି ଆମ କେନ୍ଦୁଝରର ଚାଷୀ ଭାଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । କେନ୍ଦୁଝରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ମା’ମାନଙ୍କ କଲ୍ୟାଣଠୁ ଆରମ୍ଭ କରି ଚାଷୀ ଓ ସ୍କୁଲ ରୂପାନ୍ତର ଯୋଗାଯୋଗର ବିଭିନ୍ନ କାମ ଉପରେ ଜୋର ଦିଆଯାଇଛି ।
ଏଠି କହିରଖିବୁ, କେନ୍ଦୁଝର ଗସ୍ତ ପୂର୍ବରୁ ଜିଲ୍ଲାକୁ ଏକ ବଡ ଭେଟି ଦେଇଥିଲେ । ଗତକାଲି କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ। ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଫାଇଭ T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ଧରଣୀଧର କଲେଜର ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀମାନେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଉପହାରମାନ ଦେଇଥିଲେ ।