ଭାରତ ସହ କୂଟନୈତିକ ବିବାଦ ଆଶଙ୍କା, ରାଜଭିଷେକ ବେଳେ କୋହିନୂର ମୁକୁଟ ପିନ୍ଧିବେ ନାହିଁ ରାଣୀ କାମିଲା

ଲଣ୍ଡନ : ଆସନ୍ତା ମେ ମାସରେ ବ୍ରିଟେନର ରାଜା ଚାର୍ଲସ-୩ୟଙ୍କ ରାଜ୍ୟାଭିଷେକ ହେବ । ଗତ ବର୍ଷ ତାଙ୍କ ମାତା ତଥା ରାଣୀ ଏଲିଜାବେଥଙ୍କ ପରଲୋକ ପରେ ତାଙ୍କୁ ରାଜା ଘୋଷଣା କରାଯାଇଥିଲା, କିନ୍ତୁ ତାଙ୍କର ରାଜ୍ୟାଭିଷେକ ହୋଇ ନ ଥିଲା ।

ମେ ମାସରେ ହେବାକୁ ଥିବା ରାଜ୍ୟାଭିଷେକ ଉତ୍ସବରେ ରାଜାଙ୍କ ସହ ରାଣୀ କାମିଲା ବି ସିଂହାସନରେ ବସିବେ । କିନ୍ତୁ ପ୍ରଚଳିତ ପରମ୍ପରାକୁ ଭଙ୍ଗ କରି ସେ କୋହିନୂର ହୀରା ଖଚିତ ମୁକୁଟ ପିନ୍ଧିବେ ନାହିଁ । ତା ବଦଳରେ କ୍ବିନ ମେରୀଙ୍କ ମୁକୁଟ ସେ ପିନ୍ଧିବେ । ଏଥିପାଇଁ ଉକ୍ତ ମୁକୁଟକୁ ପ୍ରସ୍ତୁତ କରାଯାଉଛି । ଏ ସଂପର୍କରେ ବିବିସିରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ବିବିସି ରିପୋର୍ଟରେ କୋହିନୂରକୁ ଏକ ବିବାଦୀୟ ହୀରା ବୋଲି ଦର୍ଶାଯାଇଛି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତ ସହ କୂଟନୈତିକ ବିବାଦ ସୃଷ୍ଟି ହେବାର ଆଶଙ୍କା ଯୋଗୁଁ ବ୍ରିଟିଶ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

କୋହିନୂରକୁ ଭାରତର ସମ୍ପତ୍ତି ବୋଲି ଭାରତ ସରକାର ଏକାଧିକ ଥର ବ୍ରିଟିଶ ସରକାରଙ୍କ ନିକଟରେ ଦାବି କରିଛନ୍ତି । କେବଳ ଭାରତ ନୁହେଁ, ପାକିସ୍ତାନ, ଆଫଗାନିସ୍ତାନ ମଧ୍ୟ ଏହାକୁ ନିଜର ବୋଲି ଦାବି କରୁଛନ୍ତି ।

ଏହି ହୀରାକୁ ଶିଖ ସାମ୍ରାଜ୍ୟର ଶେଷ ସମ୍ରାଟ ମହାରାଜା ଦୁଲିପ ସିଂଙ୍କଠାରୁ ବ୍ରିଟିଶ ସରକାର ନେଇଯାଇଥିଲେ । ସେତେବେଳେ ମହାରାଜାଙ୍କ ବୟସ ମାତ୍ର ୬ ବର୍ଷ ଥିଲା । ତାପୂର୍ବରୁ ମହାରାଜା ରଣଜିତ ସିଂ ଏହି ହୀରାକୁ ପ୍ରଭୁ ଜଗନ୍ନାଥଙ୍କୁ ଦାନ କରିଦେଇଥିଲେ ।

Related Articles

Back to top button