କାମାକ୍ଷାନଗରରେ ଚାହୁଁ ଚାହୁଁ ଜଳିଗଲା ହରିଜନ ବସ୍ତି: ୩୦ରୁ ଅଧିକ ବଖରା ଘର କ୍ଷତିଗ୍ରସ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଯାଇଛି ୩୦ରୁ ଅଧିକ ବଖରା ଘର । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି । ଆସବାବପତ୍ର , ଧାନ, ଚାଉଳ ,ଦରକାରୀ କାଗଜପତ୍ର, ଗାଡି ,ସୁନା ଗହଣା ସବୁ ପୋଡି ପାଉଁଶ । ସମସ୍ତଙ୍କ ଆଗରେ ଜଳି ଯାଉଥିଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ସମସ୍ତେ ଦେଖୁଥିଲେ, ହେଲେ କିଛି କରି ପାରୁ ନଥିଲେ । ଏବେ ପାଉଁଶ ସ୍ତୁପକୁ ଦେଖି ସମ୍ପୂର୍ଣ୍ଣ ଗାଁରେ ପଡି ଯାଇଛି ହାହାକାର ।
ସବୁଠାରୁ ଦୁଃଖର କଥା ହେଉଛି, ଅଗ୍ନିକାଣ୍ଡର କାରଣ । ପାରିବାରିକ କଳହରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣ ଯାଇଛି । ଗାଁର ହରିଜନ ସାହିରେ ଥିବା ଶରତ ନାୟକଙ୍କ ଘରୁ ପ୍ରଥମେ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା । ପାରିବାରିକ କଳହରୁ ମଦ୍ୟପ ଶରତ ନାୟକ ନିଜ ଘରେ ପ୍ରଥମେ ନିଆଁ ଲଗାଇ ଦେଇଥିଲେ । ପରେ ଘରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ଯିବା ଯୋଗୁଁ ନିଆଁ ଆକ୍ଷି ପିଛୁଳାକେ ମାଡି ଯାଇଥିଲା । ଚାହୁଁ ଚାହୁଁ ଜଳିଗଲା ହରିଜନ ବସ୍ତି।

ସମ୍ପୂର୍ଣ୍ଣ ହରିଜନ ବସ୍ତିଟି ନିଆଁରେ ଜଳିପୋଡି ଛାରଖାର ହୋଇ ଯାଇଛି । ସାହିରେ ଏବେ ଖାଲି ହାହାକାର । କାନ୍ଦ ବୋବାଳିରେ ଫାଟି ପଡୁଛି ସମ୍ପୂର୍ଣ୍ଣ ଗାଁ । କାମାକ୍ଷାନଗର ଓ ପରଜଙ୍ଗର ଅଗ୍ନିଶମ ବାହିନୀ ସାହାଯ୍ୟରେ ନିଆଁ ଲିଭାଇଥିଲା । ଯୁଦ୍ଧ କାଳୀନ ଭିତ୍ତିରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ପରଜଙ୍ଗ ତହସିଲଦାରଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button