ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୬.୧

ୱେଲିଂଟନ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ। ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍‌ରୁ ୭୮ କିଲୋମିଟର ଦୂରରେ ଭୁମିକମ୍ପ ହୋଇଛି। ୟୁରୋପିୟନ ଭୂମଧ୍ୟସାଗରୀୟ ଭୂବିଜ୍ଞାନ କେନ୍ଦ୍ର(EMSC)ର ସୂଚନା ଅନୁସାରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରହିଛି। ତେବେ ୪୮ କିମି ଗଭୀରରୁ ଏହି ଭୂମିକମ୍ପର ଝଟ୍‌କା ଅନୁଭତ ହୋଇଥିବା ନ୍ୟୁଜିଲାଣ୍ଡ ସରକାରୀ ଭୂବିଜ୍ଞାନ କେନ୍ଦ୍ରର ସୂଚନା ଦେଇଛି। ଏହା ପାରାପାରଉମୁ ଠାରୁ ୫୦ କିମି ଦୂରରେ ଏହାର କେନ୍ଦ୍ର ସ୍ଥଳ ରହିଥିଲା।

ତେବେ ଏତେ ବଡ଼ ଭୂମିକମ୍ପ ହୋଇଥିଲେ ବି କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ। କୌଣସି ସମ୍ପତ୍ତି ନଷ୍ଟ ହୋଇ ନାହିଁ କି କାହାର ଜୀବନ ମଧ୍ୟ ଯାଇନାହିଁ।  ୧୦ ଦିନ ତଳେ ତୁର୍କୀ-ସିରିଆରେ ଭୟଙ୍କର ଭୂମିକମ୍ପ ହୋଇ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ଆହତ ହୋଇଥିବା ବେଲେ ଅନେକ ବିଲ୍‌ଡିଂ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪୧ ହଜାର ପାର୍ କରିଛି।

ସୂଚନା ଥାଉକି ବର୍ତ୍ତମାନ ନ୍ୟୁଜିଲାଣ୍ଡ ସାମୁଦ୍ରିକ ଝଡ଼ ଗାବ୍ରିଏଲାକୁ ସାମ୍ନା କରୁଛି। ଏହି ଝଡ଼ରେ ଦେଶରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଦ୍ରୁତ ଗତିରେ ପବନ ବୋହିବ ସହ ଭୂସ୍ଖଳନ ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାମୁଦ୍ରିକ ଝଡ଼ ଗାବ୍ରିଏଲାକୁ ରବିବାର ନ୍ୟୁଜିଲାଣ୍ଡ ସ୍ଥଳଭାଗ ଛୁଇଁଥିଲା। ଝଡ଼ ତାଣ୍ଡବରେ ନ୍ୟୁଜିଲାଣ୍ଡର ଅନେକ ଅଞ୍ଚଳରେ ସଡ଼କ, ବିଦ୍ୟୁତ୍ ଆଦି ସେବା ବାଧାପ୍ରାପ୍ତ ହୋଇଛି। ୩ ଦିନ ଧରି ତାଣ୍ଡବ ରଚିବା ପରେ ବୁଧବାର ଗାବ୍ରିଏଲା ଦୁର୍ବଳ ହୋଇଛି।

Related Articles

Back to top button