ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍‌ କ୍ରିକେଟ ମ୍ୟାଚ ହେବ ନାହିଁ

କଟକ : ଆସନ୍ତା ଅକ୍ଟୋବର ୧୦ରୁ ଆରମ୍ଭ ହେବାକୁଥିବା ପୁରୁଷ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ହେବ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା ସୁବିଧା ନ ଥିବାରୁ ଏଠାରେ ମ୍ୟାଚ୍‌ ହୋଇପାରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ରାଜ୍ୟର ଏହି ଐତିହାସିକ କ୍ରିକେଟ ଭେନ୍ୟୁରେ ୨୦୨୩ ବିଶ୍ୱକପ୍‌ର ଏକ ମ୍ୟାଚ୍‌ ଖେଳାଯିବ ବୋଲି ଆଶା ରହିଥିଲା। ଏ ସଂକ୍ରାନ୍ତରେ ପୂର୍ବରୁ ମଧ୍ୟ ଓସିଏ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ବିସିସିଆଇର ଏଭଳି ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହକି ବିଶ୍ୱକପ ପାଇଁ ବିଶ୍ୱର ୧୬ଟି ଦେଶ ଭାଗ ନେଇଥିଲେ। ରାଉରକେଲା ଏବଂ ଭୁବନେଶ୍ୱରରେ ସବୁ ମ୍ୟାଚ ଖେଳାଗଲା। ତେବେ ବିଶ୍ୱକପ୍‌ ମ୍ୟାଚ୍‌ ଆୟୋଜନ କରିବା କ୍ଷେତ୍ରରେ ବାରବାଟୀର ପୁରୁଣା ରେକର୍ଡ ରହିଛି। ବିଗତ ବର୍ଷଗୁଡିକ ମଧ୍ୟରେ ମହିଳା ଓ ପୁରୁଷକୁ ମିଶାଇ ଅନେକ ବିଶ୍ୱକପ୍‌ ମ୍ୟାଚ୍‌ ବାରବାଟୀରେ ହୋଇଛି। ତେବେ ବିସିସିଆଇର ଏଭଳି ନିଷ୍ପତ୍ତି କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି। ଏନେଇ ଗୁରୁଡିଝାଟିଆର କପୁରସିଂହଠାରେ ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋଟର୍‌ସ ଆଣ୍ଡ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି ଫର୍‌ କ୍ରିକେଟର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ନିଜ ଅଭିଭାଷଣ ଭିତରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାରବାଟୀ ଷ୍ଟାଡିୟମକୁ ବିଶ୍ୱକପ୍‌ ମ୍ୟାଚ୍‌ ଦେବା ନିମନ୍ତେ ଓସିଏ ପକ୍ଷରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ପ୍ରସ୍ତାବ ଦିଆଯାଇଥିଲା। ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ହେଲେ ବିଭିନ୍ନ କାରଣ ଦର୍ଶାଇ ବାରବାଟୀରେ ମ୍ୟାଚ୍‌ ହୋଇପାରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ବିମାନ ସେବା ନ ଥିବାରୁ ଏଠାରେ ମ୍ୟାଚ୍‌ ହୋଇପାରିବ ନାହିଁ ବୋଲି କହୁଛନ୍ତି ବିସିସିଆଇର ଅଧିକାରୀ। ସଫଳତାର ସହ ଦୁଇଥର ହକି ବିଶ୍ୱକପ୍‌ ଆୟୋଜନ କରି ସାରିଛି ଓଡ଼ିଶା। ତଥାପି ବିସିସିଆଇର ଏଭଳି ନୀତି ରାଜ୍ୟର କ୍ରିକେଟପ୍ରେମୀଙ୍କୁ ନିରାଶ କରିବ ବୋଲି ସଞ୍ଜୟ କହିଛନ୍ତି।

ଚଳିତ ବର୍ଷ ଏହି ବିଶ୍ୱକପ୍‌ର ଆୟୋଜକ ଭାରତ ରହିଛି। ଦେଶର ବିଭିନ୍ନ ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ। ହେଲେ ବାରବାଟୀରେ ମ୍ୟାଚ୍‌ ସୁଯୋଗ ନାହିଁ। ୧୯୮୭ରେ ଏଠାରେ ପ୍ରଥମଥର ନିମନ୍ତେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ ଓ ଜିମ୍ବାୱେ ମ୍ୟାଚ ଖେଳିଥିଲେ। ଏହାପରେ ୧୯୯୬ରେ ଭାରତ ଓ କେନିୟାକୁ ନେଇ ବାରବାଟୀରେ ବିଶ୍ୱକପ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ସେହିପରି ୨୦୧୩ରେ ମହିଳା କ୍ରିକେଟ ବିଶ୍ୱକପ୍‌ ଆୟୋଜନ ହୋଇଥିଲା।

Related Articles

Back to top button