କୃଷି ଓଡ଼ିଶା ୨୦୨୩ ଉଦ୍‍ଘାଟିତ: ନୂତନ ବୈଷୟିକ ଜ୍ଞାନ ବ୍ୟବହାର କରି ଚାଷ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷି ଯାନ୍ତ୍ରିକରଣ ଓ ଫସଲ ବିବିଧତା ସହ ନୂତନ ବୈଷୟିକ ଜ୍ଞାନ ବ୍ୟବହାର କରି ଚାଷ କରିବା ପାଇଁ କୃଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ କୃଷି ଓଡ଼ିଶାକୁ ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଅଧିକ ପରିମାଣରେ ଅଣଧାନ ଓ ଅର୍ଥକାରୀ ଫସଲ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବୈଷୟିକ ଜ୍ଞାନ ହେଉଛି ବିକାଶର ଆଧାର। କୃଷି କ୍ଷେତ୍ରରେ ଏହାର ବହୁତ ଆବଶ୍ୟକତା ରହିଛି। ଚାଷୀମାନେ ନୂତନ ବୈଷୟିକ ଜ୍ଞାନ ବିଷୟରେ ଜାଣିଲେ କୃଷି କ୍ଷେତ୍ରରେ ସଫଳ ହେବେ ଓ ନିଜର ତଥା ରାଜ୍ୟର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ। ଖାଦ୍ୟଶସ୍ୟ ଉତ୍ପରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପଣସ ମିଶନ, ଛତୁ ମିଶନ ଆଦି ସ୍ୱତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାର ମିଲେଟ୍‍ ମିଶନ ଆଜି ସାରା ଦେଶ ଓ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‍ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପ୍ରମୁଖ କୃଷି ବିଭାଗର କାର୍ଯ୍ୟକ୍ରମ ଉପରେ ଅବତାରଣା କରିଥିଲେ। ବିଭାଗୀୟ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏବଂ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଧୁନିକ କୃଷି ସାମଗ୍ରୀ ଓ ନୂତନ ଜ୍ଞାନକୌଶଳର ପ୍ରଦର୍ଶନୀ ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଏହି ମେଳାର ଆୟୋଜନ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ରିହାତି ଦରରେ କୃଷି ଯନ୍ତ୍ରପାତି କ୍ରୟ, ଅଗ୍ରୀମ ବୁକିଂ ଏବଂ ଋଣର ସୁଯୋଗ ରହିଛି। ସେହିପରି କୃଷି ଶିକ୍ଷା ଶିବିର ଓ ଅନ୍‍ଲାଇନ୍‍ ସେବା ସମ୍ବନ୍ଧୀୟ କୃଷକ ସହାୟତା କେନ୍ଦ୍ର ଆୟୋଜନ କରାଯାଇଛି। ଏହି ଅବସରରେ ଅଗ୍ରଣୀ କୃଷକ, କୃଷକ ଉତ୍ପାଦକ ସଂଘ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ କୃଷି ଉଦ୍ୟୋଗୀକୁ ସମ୍ବର୍ଦ୍ଧିତ କରାଯିବ। ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏହି କୃଷିମେଳା ଅନୁଷ୍ଠିତ ହେବ।

Related Articles

Back to top button