ଲାଞ୍ଚ ନେବା ମାମଲାରେ ଜେଲ ଗଲେ ଆର୍‌ଆଇ

କୁଚିଣ୍ଡା: ସମ୍ବଲପୁର ଜିଲା କୁଚିଣ୍ଡା ତହସିଲ ଅଧୀନ ଗୋଛରା ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ସତ୍ୟନାରାୟଣ କଉଡି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ। ଶୁକ୍ରବାର ଭିଜିଲାନ୍ସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ଗୋଛରା ପଞ୍ଚାୟତ ଗୁରୁଆଁ ଗ୍ରାମର ଖତୁ କିଷାନ ନାମକ ବ୍ୟକ୍ତି ଜମି ପଟ୍ଟା ପାଇଁ କୁଚିଣ୍ଡା ତହସିଲରେ ଆବେଦନ କରିଥିଲେ। ଏହି ସମ୍ପର୍କରେ କୁଚିଣ୍ଡା ତହସିଲରେ ଏକ ମ୍ୟୁଟେଶନ ମାମଲା ରୁଜୁ ହୋଇଥିଲା। ରିପୋର୍ଟ ପ୍ରଦାନ କରିବାକୁ ତହସିଲ ପକ୍ଷରୁ ଗୋଛରା ଆର୍‌ଆଇଙ୍କୁ ନିର୍ଦ୍ଦେଶ ରହିଥିଲା। ମାତ୍ର ରିପୋର୍ଟ ଦେବା ପାଇଁ ଆର୍‌ଆଇ ଦରଖାସ୍ତକାରୀଙ୍କୁ ଟଙ୍କା ମାଗିଥିଲେ। ଏନେଇ ଖତୁ ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କଠାରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ଡିଏସ୍‌ପି କବିତା ସାହୁଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍‌ ଗୋଛରା ଆର୍‌ଆଇ ଅଫିସ ପାଖରେ ପୂର୍ବରୁ ଯୋଜନା ମୁତାବକ ଛକି ରହିଥିଲେ। ଆର୍‌ଆଇ ସତ୍ୟନାରାୟଣ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଚଢାଉ କରି ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରି ତାଙ୍କୁ ଗିରଫ କରିଥିଲେ। ପରେ କୁଚିଣ୍ଡା ମହୁଲଡିହିସ୍ଥିତ ତାଙ୍କ ଭଡା ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଯାଞ୍ଚ କରିଛି। ଏ ନେଇ ଭିଜିଲାନ୍ସ ବିଭାଗରେ କେସ୍‌ ନଂ.୫/୨୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

Related Articles

Back to top button