ରିଲ୍ସ କରିବା ଲାଗି ବିପଦପୂର୍ଣ୍ଣ ଷ୍ଟଣ୍ଟ: ସ୍କୁଲ ଛାତରୁ ଡେଇଁଲେ ଛାତ୍ର

ନବରଙ୍ଗପୁର : ରିଲ୍ସ କରିବା ସମୟରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଛାତ୍ର । ରିଲ୍‌ ବନେଇବା ନିଶାରେ ଗୋଟାଏ ଛାତରୁ ଅନ୍ୟ ଏକ ଛାତକୁ ଡେଇଁବା ଭିଡିଓ ଏବେ ଭାଇରଲ୍ ହେବାରେ ଲାଗିଛି। ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ର ସ୍କୁଲ୍ ଟାଇମ୍‌ରେ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥିଲା  ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଛାତ୍ର ସ୍କୁଲ୍‌ ଛାତ ଉପରେ ଚଢି ନିକଟରେ ଥିବା ପରିତ୍ତ୍ୟକ୍ତ କ୍ୱାର୍ଟର୍ସ ଉପରକୁ ଡେଇଁଥିଲେ। ଆଜବେଷ୍ଟସ ଭାଙ୍ଗି ଯିବାରୁ ଛାତ୍ର ଜଣଙ୍କ ତଳେ ପଡ଼ି ଯାଇଥିଲେ। ଏହି ଭିଡିଓ ଫେସ୍‌ବୁକ୍‌ ଓ ଇନଷ୍ଟାଗ୍ରାମରେ ମଧ୍ୟ ଅପଲୋଡ ହୋଇଛି।

ସୂଚନା ଅନୁଯାୟୀ ଗତ ୧୪ ତାରିଖ ମଙ୍ଗଳବାର ଦିନ ସ୍ଥାନୀୟ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟଙ୍ଗମାନଙ୍କ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦିନ ପ୍ରାୟ ୧୧ଟା ସମୟରେ କିଛି ପିଲା ସ୍କୁଲ ଛାତ ଉପରକୁ ଚଢି ଯାଇଥିଲେ। ସେହି ଛାତ ଉପରୁ ସେମାନଙ୍କ ମଧ୍ୟରୁ କିଛି ପିଲା ହତ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ବାଟର୍ ଉପରେ ଡେଇଁବା ସମୟରେ ଭିଡିଓ ବନେଇ ଫେସବୁକ ଓ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଥିଲେ  । ଭିଡିଓଟି ଏବେ ସୋଶିଆଲ ମିଡିଆରେ ଘୁରି ବୁଲିବା ପରେ ଏହି ଘଟଣା ସ୍ଥାନୀୟ ସରକାରୀ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଥିଲା  ।

ଏହି ଘଟଣା ପରେ ଭିଡିଓ କରିଥିବା ୭ ଜଣ ଛାତ୍ରଙ୍କୁ ଡକାଇ ପ୍ରଧାନ ଶିକ୍ଷକ ଟିସି ଦେଇଥିଲେ।ପରେ ଛାତ୍ରଙ୍କ ଅଭିଭାବକମାନେ ଭୁଲ୍‌ ସ୍ୱୀକାର କରିବା ସହ ପରୀକ୍ଷା ପର୍ଯ୍ୟନ୍ତ ପିଲାଙ୍କୁ ବାହାର ନକରିବାକୁ ଅନୁରୋଧ କରିଥିଲେ । ଏହାପରେ ରିଲ୍ସ କରିଥିବା ଛାତ୍ରଙ୍କୁ ସ୍କୁଲ୍‌ରେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ ନକରିବା ପାଇଁ ପରାମର୍ଶ ଦିଆଯାଇଛି।

Related Articles

Back to top button