ବଲାଙ୍ଗିରରେ ବୁଲଡୋଜର ଲଗାଇ ବେଆଇନ୍ ଇଟାଭାଟି ଭାଙ୍ଗିଲା ପ୍ରଶାସନ

ବଲାଙ୍ଗିର: ବେଆଇନ୍ ଇଟାଭାଟିକୁ ନେଇ ଆକ୍ସନ ମୋଡ଼ରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ତହସିଲଦାର ଓ ପୋଲିସ ପ୍ରଶାସନ ଜେସିବି ଓ ବୁଲଡୋଜର ଲଗାଇ ଜିଲ୍ଲାର ବୁରିବାହାଲରେ ଲକ୍ଷ ଲକ୍ଷ ଟଙ୍କାର ବେଆଇନ୍ ଇଟାଭାଟିକୁ ଭାଙ୍ଗିଥିଲେ । ସରଧାପୁର କୁର୍ଲିବାହାଲଠାରେ ଥିବା ୩ଟି ଇଟାଭାଟିକୁ ପ୍ରଶାସନ ମାଟିରେ ମିଶାଇ ଦେଇଥିବା ଜଣାପଡ଼ିଛି ।

ତେବେ ବର୍ଷ ବର୍ଷ ଧରି ବୁରିବାହାଲରେ ତହସିଲ ଅଧିନରେ ଅନେକ ବେଆଇନ ଇଟାଭାଟି ରହିଥିବା ବେଳେ ଏହି ୩ଟି ଇଟାଭାଟି ଉପରେ ପ୍ରଶାସନ କାହିଁକି ଏପରି ପଦକ୍ଷେପ ନେଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆକ୍ରୋଶମୂଳକ ଭାବେ ଇଟାଭାଟି ଉପରେ ବୁଲଡୋଜର ଚଳାଯାଇଥିବା କ୍ଷତିଗ୍ରସ୍ତ ଇଟାଭାଟି ମାଲିକ କହିଛନ୍ତି । ତେବେ ସ୍ୱତନ୍ତ୍ର ଟିମ୍ ଗଠନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ବେଆଇନ୍ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

Related Articles

Back to top button