ଚାକିରି ଦେବା ନାଁରେ ଠକେଇ ମାମଲା: ବିହାରରୁ ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ୱେବସାଇଟ୍ ଖୋଲି ଚାକିରି ଯୋଗାଇ ଦେବା ନାଁରେ ଠକେଇ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ଜଣଙ୍କ ବିହାର ଗୋପାଳଗଞ୍ଜର ଜୟରାମ ତିୱାରୀ । ପୂର୍ବରୁ ଇଓଡବ୍ଲୁ ବିହାରରୁ ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ଧର୍ମପାଲ ସିଂଙ୍କୁ ଗିରଫ କରିଥିଲା ।

ଏବେ ଗିରଫ ହୋଇଥିବା ଜୟରାମ ତିୱାରୀ ପ୍ରାୟ ୩୫ ଲକ୍ଷରୁ ଅଧିକ ଟଙ୍କା ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନରେ ପାଇଥିବା କହିଛି । ଧର୍ମପାଲ ସହ ଜୟରାମ ସହ ପ୍ରଯୋଜକ ରହି ଏକ ଫିଲ୍ମ ତିଆରି କରିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଇଓଡବ୍ଲୁ । ତେବେ ସଂସ୍ଥାର ୨ ଠକ ଗିରଫ ହୋଇଥିଲେ ମଧ୍ୟ ଏବେ ବି ଆକ୍ଟିଭ୍ ରହିଛି ଠକେଇ ଲାଗି ବ୍ୟବହାର କରାଯାଇଥିବା ୱେବସାଇଟ୍ ।

ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଏମାନେ ନିଯୁକ୍ତି ବିଜ୍ଞାପନ ଦେଇ ଆଶାୟୀ ଯୁବକ ଯୁବତୀଙ୍କୁ ଠକୁଥିଲେ । ୧୭ଟି ରାଜ୍ୟରେ ବ୍ୟାପିଥିଲା ଏହି ଜବ ରାକେଟ୍ । ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ପଞ୍ଜିକୃତ ହୋଇଥିବା ବେଳେ ଭୋପାଳ, ମୁମ୍ବାଇ ଓ ଡେରାଡୁନରେ ଶାଖା ରହିଛି ।

ଆଉ ଚାକିରି ଆଶାୟୀଙ୍କ ବିଶ୍ୱାସ ଜିତିବା ଲାଗି ଜାତିଭିତ୍ତିକ ସଂରକ୍ଷଣ ଓ ରିହାତି ପ୍ରଦାନ କରୁଥିଲା ଏହି ଠକ ସଂସ୍ଥା । ଓଡ଼ିଶାରେ ଠକେଇ ଲାଗି ପ୍ରମୁଖ ଦୈନିକ ଓଡ଼ିଆ ଖବର କାଗଜରେ ବିଜ୍ଞାପନ ମଧ୍ୟ ଦେଉଥିଲେ । ଏତିକିରେ ସୀମିତ ନଥିଲା ଏହି ସଂସ୍ଥା । ଅନଲାଇନ୍ ପରୀକ୍ଷା ସହ ସାକ୍ଷାତକାର ବି ନିଆ ଯାଉଥିଲା । ପ୍ରତି ପୋଷ୍ଟ ପାଇଁ ୱେବସାଇଟରେ ଉପଲବ୍ଧ ହେଉଥିଲା ପାଠ୍ୟକ୍ରମ ।

Related Articles

Back to top button