ଏଣିକି ସ୍କୁଲରେ ସର୍ବନିମ୍ନ ୬ ବର୍ଷରେ ହେବ ପ୍ରଥମ ଶ୍ରେଣୀରେ ଆଡମିଶନ
ନୂଆଦିଲ୍ଲୀ : ଏଣିକି ୬ ବର୍ଷ ପୂର୍ବରୁ ଛୁଆ ସ୍କୁଲରେ ଆଡମିଶନ ନେଇ ପାରିବ ନାହିଁ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ପିଲାଙ୍କ ସ୍କୁଲ ଆଡମିଶନ ପାଇଁ ସର୍ବନିମ୍ନ ବୟସ ୬ ବର୍ଷ ସ୍ଥିର କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି।
ନୂତନ ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ପାଞ୍ଚ ବର୍ଷ ବୟସ ହେଉଛି ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ ବା ଫଣ୍ଡାମେଟାଲ ଷ୍ଟେଜ୍ । ଯେଉଁଥିରେ ତିନି ବର୍ଷର ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଏବଂ ସେଥିରେ ଶ୍ରେଣୀ ୧ ଏବଂ ୨ ଅନ୍ତର୍ଭୁକ୍ତ ।
ଶିକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତି ପ୍ରାଥମିକ ବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ନିରନ୍ତର ଶିକ୍ଷା ଏବଂ ସେମାନଙ୍କ ମାନସିକ ବିକାଶକୁ ପ୍ରୋତ୍ସାହନ ଦିଆଯିବ । ଅଙ୍ଗନୱାଡିସ୍ କିମ୍ବା ସରକାରୀ, ସରକାରୀ ସହାୟତା ପ୍ରାପ୍ତ, ବେସରକାରୀ ଏବଂ ଏନଜିଓ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କ ପାଇଁ ତିନି ବର୍ଷର ଗୁଣାତ୍ମକ ପ୍ରାକ୍ ବିଦ୍ୟାଳୟ ଶିକ୍ଷାକୁ ଏହା ଦ୍ୱାରା ସୁନିଶ୍ଚିତ କରାଯାଇପାରିବ ।
ବୟସ ନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ଏବଂ ୬ ବର୍ଷ ବା ତା’ଠାରୁ ଅଧିକ ବୟସ ପିଲାମାନଙ୍କୁ ପ୍ରଥମ ଶ୍ରେଣୀରେ ଆଡମିଶନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଅଞ୍ଚଳ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ମାର୍ଚ୍ଚ ୨୦୨୨ ରେ ଲୋକସଭାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଥମ ଶ୍ରେଣୀରେ ଆଡମିଶନ ବୟସ ସୀମା ମଧ୍ୟରେ ଅନେକ ପରିବର୍ତ୍ତନ ରହିଛି। ଦେଶରେ ୧୪ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଅଛି ଯେଉଁଠାରେ ପିଲାମାନଙ୍କୁ ୬ ବର୍ଷ ବୟସ ହେବା ପୂର୍ବରୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରିବାକୁ ଅନୁମତି ଦିଆଯାଉଛି ।
ଆସାମ, ଗୁଜୁରାଟ, ପୁଡୁଚେରୀ, ତେଲେଙ୍ଗାନା ଏବଂ ଲଦାଖରେ ପାଞ୍ଚ ବର୍ଷର ପିଲାମାନେ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରାଯାଉଥିଲା । ଏଥି ସହିତ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାଣା, ଗୋଆ, ଝାଡଖଣ୍ଡ, କର୍ଣ୍ଣାଟକ ଏବଂ କେରଳରେ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ପାଞ୍ଚ ବର୍ଷରୁ ଅଧିକ ଥିଲା।