ମାର୍ଚ୍ଚ ୫ ତାରିଖରେ ବିଜୁଙ୍କ ଜନ୍ମଦିନରେ ଡାକୋଟା ବିମାନ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଗତ ଜାନୁଆରୀ ମାସ ୧୮ ତାରିଖରେ ଭୁବନେଶ୍ୱର ପହଞ୍ଚିଥିଲା। ଆସନ୍ତା ମାସ ୫ ତାରିଖରେ ବିଜୁଙ୍କ ଜନ୍ମତିଥିରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବେ । ଏହା ମଧ୍ୟରେ ଡାକୋଟାର ବିଭିନ୍ନ ଅଂଶର ଖଞ୍ଜାଖଞ୍ଜି କାର୍ଯ୍ୟ ସମାପ୍ତ ହୋଇଛି । ଆଜି ବିଳମ୍ବିତ ରାତ୍ରିରେ ବିମାନର ୨ଟି ଡେଣା ଓ ମୁଖ୍ୟ ଅଂଶକୁ କକପିଟକୁ ଅଣାଯିବ । ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ମହାପ୍ରବନ୍ଧକ ଏ ବାବଦରେ ସୂଚନା ଦେଇଛନ୍ତି ।

ଡାକୋଟା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁଙ୍କ ଅନେକ ସ୍ମୃତି ଯୋଡ଼ି ହୋଇ ରହିଛି । ୧୯୪୭ ମସିହା ଜୁଲାଇ ମାସ ୨୧ରେ ଓଡ଼ିଶାର ବୀରପୁତ୍ର ବିଜୁ ଡାକୋଟା ଉଡ଼ାଇ ଇଣ୍ଡୋନୋସିଆର ତକ୍ରାଳନୀ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କୁ ଉଦ୍ଧାର କରି ଭାରତ ମାଟିରେ ପହଞ୍ଚାଇଥିଲେ । ଏବେ ଡାକୋଟା ଓଡ଼ିଶା ଫେରିବା ସହିତ ସମସ୍ତ କାର୍ଯ୍ୟ ସମାପ୍ତ ପରେ ସର୍ବସାଧାରଣ ବିମାନକୁ ଅତି ନିକଟରୁ ଦେଖି ପାରିବେ । ପାଖାପାଖି ୭୪ ଫୁଟ ଓ ୯୫ ଫୁଟ ଡେଣା ବିଶିଷ୍ଟ ଡାକୋଟାକୁ ରଖିବା ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ୧୧ ଏକର ଜମି ଯୋଗାଇ ଦିଆଯିବ ବୋଲି ପୂର୍ବରୁ କୁହାଯାଇଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଡାକୋଟାକୁ ସଂରକ୍ଷିତ କରି ରଖାଯିବ । ଡାକୋଟା ବିଜୁଙ୍କ ଗୌରବମୟ ଇତିହାସ ସମ୍ପର୍କରେ ଅନେକ କଥା କହିବ ।

Related Articles

Back to top button