ଲାଞ୍ଚ ନେଇ ସିବିଆଇ ହାତରେ ଧରା ପଡିଲେ ରାଉରକେଲା ସହକାରୀ ପୋଷ୍ଟ ମାଷ୍ଟର ଓ ଏଜେଣ୍ଟ

ରାଉରକେଲା: ଲାଞ୍ଚ ଟଙ୍କା ନେଇ ସିବିଆଇ ଜାଲରେ ପଡିଛନ୍ତି ରାଉରକେଲା ମୁଖ୍ୟ ଡାକଘର ସହକାରୀ ପୋଷ୍ଟ ମାଷ୍ଟର ଓ ଏଜେଣ୍ଟ। ପ୍ରଭାସିନୀ ସୂତାର ନାମୀ ଜଣେ ଆକାଉଣ୍ଟଧାରୀଙ୍କଠାରୁ ଏଜେଣ୍ଟ ଜରିଆରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚଢାଉ କରି ସହକାରୀ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ଓ ଏଜେଣ୍ଟ ବିମଳ କୁମାର ମୁଦୁଲିଙ୍କୁ ଗିରଫ କରିଛନ୍ତି ଭୁବନେଶ୍ୱରରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ । ଏହାସହ ସିବିଆଇ ଏହି ଦୁଇ ଜଣଙ୍କ ବାସଭବନ ଉପରେ ଚଢ଼ାଉ ଜାରି ରଖିଛି।

ଏହି ଚଢାଉରେ ସିବିଆଇ ଡିଏସପି ଦିବାକର ନନ୍ଦଙ୍କ ନେତୃତ୍ବରେ ଇନ୍ସପେକ୍ଟର ଏ.କେ.ନନ୍ଦ ଓ ଅନ୍ୟାନ୍ୟ ଷ୍ଟାଫ୍ ସାମିଲ ଥିଲେ। ସୂଚନା ଅନୁସାରେ ପ୍ରଭାସିନୀଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଡେଥ କ୍ଲେମ୍ ବାବଦକୁ ୮ ଲକ୍ଷ ଟଙ୍କା ପାଇବାକୁ ଥିଲା। ତେବେ ପୋଷ୍ଟମାଷ୍ଟର ଅଢେଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ୨ ଲକ୍ଷ ଟଙ୍କାରେ କଥା ଛିଣ୍ଡିଥିଲା। ଏନେଇ ଭୁବନେଶ୍ୱର ସିବିଆଇ ଅଧିକାରୀଙ୍କ ସହ ପ୍ରଭାସିନୀ ସୂତାର ଯୋଗାଯୋଗ କରିଥିଲେ। ତେବେ ଆଜି ପ୍ରଥମ ଦଫାରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବିଶ୍ବରଂଜନଙ୍କ ସହ ଦଲାଲ ବିମଳ ମୁଦୁଲିଙ୍କୁ ଗିରଫ କରାଯାଇଛି ।

Related Articles

Back to top button