ବିଧାୟକ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତ ପୁଲିସ ଗୁଳିମାଡରେ ମୃତ

ପ୍ରୟାଗରାଜ: ଶୁକ୍ରବାର ବିଏସ୍‌ପି’ ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ଙ୍କୁ ତାଙ୍କ ବାସଭବନରେ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ଘଟଣା ଘଟାଇଥିବା ଆକ୍ରମଣକାରୀଙ୍କୁ ଏବେ ପୁଲିସ ଖୋଜୁଥିବା ବେଳେ ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଅରବାଜ ପୁଲିସ ଗୁଳି ମାଡରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୋମବାର ଅପରାହ୍ନରେ ପୁଲିସ ଅରବାଜକୁ ଏନକାଉଣ୍ଟର କରିଥିବା କୁହାଯାଉଛି।

ସୂଚନା ମିଳିଛି ଯେ, ଧୁମଙ୍ଗଞ୍ଜ ଅଞ୍ଚଳର ନେହେରୁ ପାର୍କ ନିକଟରେ ଅରବାଜକୁ ପୁଲିସ ଏନକାଉଣ୍ଟର କରିଥିଲା। ଉମେଶ ପାଲଙ୍କୁ ଆକ୍ରମଣ କରିବା ପରେ ସିସିଟିଭି ଫୁଟେଜରେ ଅରବାଜର ମୁହଁ ନଜର ଆସିବାରୁ ପୁଲିସ ତାକୁ ଖୋଜୁଥିବା ବେଳେ ଆଜି ଏଭଳି ଘଟଣା ଘଟିଛି। ସିସିଟିଭି ଫୁଟେଜରୁ ଅରବାଜକୁ ଚିହ୍ନଟ କରାଯିବା ପରେ ଏସଟିଏଫ ଜାଣିବାକୁ ପାଇଥିଲା ଯେ ସେ ନିୱାନ ଅଞ୍ଚଳରେ ଲୁଚି ରହିଛି। ଏସଟିଏଫ୍ ଏବଂ ଏସଓଜି ସହିତ ସ୍ଥାନୀୟ ପୁଲିସ୍ ଷ୍ଟେସନର ମିଳିତ ଟିମ୍ ନେହେରୁ ପାର୍କ ନିକଟରେ ଥିବା ନିୱାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଅରବାଜ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଅରବାଜର ଗୁଳି ଚୋଟରେ ଜଣେ କନଷ୍ଟେବଳ ଆହତ ହେବାରୁ ପୁଲିସ ପାଲଟା ଗୁଳିଚାଳନା କରିଥିଲା। ଗୁଳିଟି ତାଙ୍କ ଛାତି ଏବଂ ଗୋଡରେ ବାଜିବାରୁ ପୁଲିସ ଆହତ ଅରବାଜକୁ ‘ସ୍ବରୂପରାଣୀ ନେହେରୁ ହସ୍ପିଟାଲ୍‌’କୁ ଚିକିତ୍ସା ପାଇଁ ଆଣିଥିଲେ, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

Related Articles

Back to top button