‘ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ସର୍ଭିଲେନ୍ସ ହେବ’ – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
ଭୁବନେଶ୍ୱର: ଆସନ୍ତାକାଲିଠୁ ହେବ ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସୋମବାର ସେ ଏହି ସୂଚନା ଦେଇଛନ୍ତି।
ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ ବ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସମୀର ଦାଶ କହିଛନ୍ତି, ମାର୍ଚ୍ଚ ୧ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଛି ଏବଂ ପ୍ରଶ୍ନପତ୍ରକୁ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି। ଗତବର୍ଷ ଭଳି ଏଥର ମଧ୍ୟ ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥିସହ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ଯୁକ୍ତ ୨ ବିଜ୍ଞାନ ବିଭାଗର ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଥିବା ବେଳେ ବାଣିଜ୍ୟ ଓ କଳା ବିଭାଗର ପରୀକ୍ଷା ମାର୍ଚ୍ଚ ୨ରୁ ଆରମ୍ଭ ହେବ। ସେହିପରି ଧନ୍ଦାମୂଳକ ଅଧ୍ୟୟନ ପରୀକ୍ଷା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ। ବିଜ୍ଞାନ ବିଭାଗର ପରୀକ୍ଷା ପାଇଁ ସୋମବାର ସଂଧ୍ୟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରର ହବ ଗୁଡିକରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ଆବଶ୍ୟକ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।