ରାଜ୍ୟର ୧୩ଟି ଜିଲ୍ଲାରେ ଗଠନ ହେବ କପା ସମବାୟ ସମିତି
ଭୁବନେଶ୍ୱର: ରାଜ୍ୟ ସରକାର କପା ଚାଷକୁ ପ୍ରୋତ୍ସାହନ ଦେବାକୁ ଯାଉଛନ୍ତି । ରାଜ୍ୟ ସରକାର କପା ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେଇ ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସୂଚନା ମୁତାବକ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସମେତ ଅନ୍ୟ କିଛି ଅଞ୍ଚଳରେ ଥିବା କଳାମାଟି କପା ଚାଷ ନିମନ୍ତେ ଅନୁକୂଳ ହୋଇଥାଏ । ତେଣୁ ଏପରି ୧୩ଟି ପ୍ରମୁଖ ଜିଲ୍ଲାରେ କପା ସମବାୟ ସମିତି ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୨ ହଜାର ହେକ୍ଟର ଜମିରେ କପା ଚାଷ କରିବାକୁ ସମବାୟ ବିଭାଗ ଲକ୍ଷ୍ୟ ରଖିଛି । କପା ମଞ୍ଜିରୁ ତେଲ ବାହାର କରି ବିକ୍ରି କରାଯାଇ ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଚେଷ୍ଟା କରାଯିବ । କପା ମଞ୍ଜିରୁ ବାହାରୁଥିବା ତେଲ ଲିଟର ପିଛା ୩-୪ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ତେଣୁ ଏହି ତେଲ ଚାଷୀଙ୍କୁ ଅଧିକ ଲାଭବାନ କରିପାରିବ ବୋଲି ଆଶା କରାଯାଉଛି ।
ଏଥିସହିତ ରାଜ୍ୟ ସରକାର ୧୦୦ଟି ସମବାୟ ସମିତିକୁ ଆଦର୍ଶ ସମବାୟ ଗଠନ କରିବା ନେଇ ଯୋଜନା କରିଛନ୍ତି । ଆଦର୍ଶ ସମବାୟ ସମିତି ସମ୍ପୂର୍ଣ୍ଣ ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ପରିଚାଳହିତ ହେବା ସହିତ କୃଷି ଓ କୃଷକମାନେ ଅନ୍ୟ ସୁବିଧା ମଧ୍ୟ ପାଇ ପାରିବେ । ସେଠାରେ ଜଣେ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯିବ, ଯେ କି ଚାଷୀଙ୍କୁ ଅନଲାଇନ ପଞ୍ଜିକରଣ ଠାରୁ ଆରମ୍ଭ କରି ଯୋଜନାର ଫାଇଦା ଉପରେ ବିବରଣୀ ପ୍ରଦାନ କରିବେ ।
ସମବାୟ ବିଭାଗ ଚାଷୀଙ୍କ ଠାରୁ ମଣ୍ଡି ଓ ସମବାୟ ସମିତି ମାଧ୍ୟମରେ କଞ୍ଚାମାଲ ସଂଗ୍ରହ କରିବ । ଏହି କଞ୍ଚାମାଲରୁ ମଞ୍ଜି ବାହାର କରି ପ୍ରୋସେସିଂ କରି ଜିନିଂ କଟନ ପ୍ରସ୍ତୁତ କରାଯିବ । କପା କଞ୍ଚାମାଲ ଜିନିଂ ପ୍ରକ୍ରିୟାରେ କପଡ଼ାରେ ରୂପାନ୍ତରିତ ହୋଇଥାଏ । ଏହି ପ୍ରକ୍ରିୟାରେ କପାରୁ ମଞ୍ଜିରୁ ଅଲଗା କରି ବଡ଼ ବଡ଼ ରୋଲ୍ ପ୍ରସ୍ତୁତ କରାଯିବ । କୃଷି ଓ କୃଷକ ସଶକ୍ତିକରଣ ଏବଂ ସମବାୟ ବିଭାଗର ମିଳିତ ଉଦ୍ୟମରେ ଜିନିଂ କଟନ୍ ରୋଲ ପ୍ରସ୍ତୁତ କରାଯାଇ ରାଜ୍ୟ ବାହାରକୁ ରପ୍ତାନୀ କରାଯିବ ।