ସୋସିଆଲ ମିଡିଆରେ ଘୁରି ବୁଲୁଛି ଡୁପ୍ଲିକେଟ ସିବିଏସ୍‌ଇ ପ୍ରଶ୍ନପତ୍ର

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। କେବଳ ଯାହା ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା ପରିଚାଳନା ହବ୍‌କୁ ପଠାଯାଇଛି। ମାତ୍ର ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ଯୁକ୍ତ୨ ବିଭିନ୍ନ ବିଷୟର ପ୍ରଶ୍ନପତ୍ର। ଓଡ଼ିଆ ସମେତ ଆଉ କିଛି ବିଷୟର ପ୍ରଶ୍ନପତ୍ର ଗୋଟିଏ ପରେ ଗୋଟିଏ ମୋବାଇଲ୍‌କୁ ଭାଇରାଲ୍‌ ହେଉଥିବାରୁ ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢ଼ିଯାଇଛି। ପରୀକ୍ଷା ପୂର୍ବରୁ ହଠାତ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଯାଇଥିବା ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ କେତେଜଣ ଛାତ୍ରଛାତ୍ରୀ ପରିଷଦ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ପରେ ଏବେ ଖୋଳତାଡ଼ ଆରମ୍ଭ ହୋଇଛି।

ୟୁଟ୍ୟୁବ୍‌ରେ ଘୂରି ବୁଲୁଥିବା ଓଡ଼ିଆ ବିଷୟର ଉକ୍ତ ପ୍ରଶ୍ନପତ୍ର ନକଲି। ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବାକୁ କେହି ଦୁର୍ବୃତ୍ତ ଏଭଳି କରିଥିବା ଜଣାପଡ଼ିଛି। ତେଣୁ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ଉକ୍ତ ପ୍ରଶ୍ନପତ୍ର ଉପରେ ବିଶ୍ବାସ ନ କରିବାକୁ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି। କେବଳ ଓଡ଼ିଶା ବୋର୍ଡ ନୁହେଁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଯେଉଁଥିପାଇଁ ସିବିଏସ୍‌ଇ ପକ୍ଷରୁ ଆଜି ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଚାଲିଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୫ ପର୍ଯ୍ୟନ୍ତ ଜାରି ରହିବ। ତେଣୁ ପରୀକ୍ଷାର ସୁପରିଚାଳନା ଲାଗି ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ତା’ସ‌ତ୍ତ୍ବେ ବି କେତେକ ବ୍ୟକ୍ତିବିଶେଷ ସାମାଜିକ ଗଣମାଧ୍ୟମରେ ଅନୈତିକ ଭାବେ ଗୁଜବ ପ୍ରସାରଣ କରୁଛନ୍ତି। ଯେଉଁମାନେ ଏଭଳି ଭୁଲ୍‌ ତଥ୍ୟ ତଥା ଗୁଜବ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନିଆଯାଉଥିବା ପରିଷଦ ପକ୍ଷରୁ କୁହାଯାଇଛି।

ଆଇପିସି ଓ ଆଇଟି ଆଇନ ଅନୁଯାୟୀ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସିବିଏସ୍‌ଇ ପକ୍ଷରୁ ନିୟମିତ ଭାବେ ଦିଲ୍ଲୀ ପୁଲିସ ସ୍ପେସାଲ୍‌ ସେଲ୍‌(ଏମ୍‌ଏସି)କୁ ଅବଗତ କରାଯାଉଛି। ଆଇପିସିର ବିଭିନ୍ନ ସେକ୍ସନ ଅନୁଯାୟୀ ଫେକ୍‌(ଗୁଜବ) ନ୍ୟୁଜ୍‌ ପ୍ରସାରଣ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପିଲାମାନଙ୍କୁ ଏଭଳି ନକଲି ତଥା ଗୁଜବ ଖବର ଉପରେ ଗୁରୁତ୍ବ ନ ଦେବାକୁ ଅଭିଭାବକମାନେ ପରାମର୍ଶ ଦେବାକୁ ସିବିଏସ୍‌ଇ ପକ୍ଷରୁ ଅନୁରୋଧ କରାଯାଇଛି। ସାଧାରଣ ଲୋକେ ମଧ୍ୟ ଏଭଳି ଗୁଜବରେ ବିଶ୍ବାସ ନ କରିବା ସହ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ନ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି।

Related Articles

Back to top button