ରାଜ୍ୟରେ ଗତ ୭ ବର୍ଷରେ ୩୧% ବଳଦ ସଂଖ୍ୟା ହ୍ରାସ: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟରେ ବଳଦ ସଂଖ୍ୟା କମିବାରେ ଲାଗିଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବୁଧବାର ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କର ଏସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଯଦିଓ ବଳଦ ସଂଖ୍ୟା କମିଛି, ତେବେ ଷଣ୍ଢ ସଂଖ୍ୟା ବୃଦ୍ଧିକୁ ନେଇ ସରକାରଙ୍କ ପାଖରେ କୌଣସି ହିସାବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଆଜି ଗୃହରେ ବିଧାୟକ ଧ୍ରୁବ ସାହୁ ଏନେଇ ଏକାଧିକ ପ୍ରଶ୍ନ କରିଥିଲେ। ବିଧାୟକ ପଚାରିଥିଲେ ଯେ ରାଜ୍ୟରେ ହଳ ଓ ଶଗଡ଼ ବ୍ୟବହାର କମୁଥିବାରୁ ବଳଦର ଆବଶ୍ୟକତା କମିଲାଣି କି ? ଅଣ୍ଡିରା ବାଛୁରୀଗୁଡ଼ିକ ବଳଦ ନ କରିବାରୁ ଷଣ୍ଢ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଥିବା ବେଳେ ଏହି ଷଣ୍ଢଗୁଡ଼ିକ ବିଲରେ ପଶି ଫସଲ ନଷ୍ଟ କରୁଥିବା ଖବର ସରକାର ପାଖରେ ଅଛି କି?  ଏହି ସମସ୍ୟାର ସମାଧାନ ପାଇଁ ସରକାର କେଉଁ ସବୁ ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ଧ୍ରୁବ ସାହୁ ପ୍ରଶ୍ନ କରିଥିଲେ।

ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ହଳ ଓ ଶଗଡ଼ ବ୍ୟବହାର କମି ଯାଉଥିବାରୁ ବଳଦର ଆବଶ୍ୟକତା ହ୍ରାସ ପାଇଛି। ଅଣ୍ଡିରା ବାଛୁରୀଗୁଡ଼ିକ ଛାଡ଼ି ଦେଉଥିବାରୁ ସେମାନେ ଷଣ୍ଢ ହେଉଛନ୍ତି। ତେବେ ପ୍ରାଣୀ ସମ୍ପଦ ଗଣନାର ତଥ୍ୟ ଅନୁଯାୟୀ ରାଜ୍ୟରେ ଷଣ୍ଢମାନଙ୍କର ଗଣନା କରାଯାଉ ନାହିଁ। ତେବେ ରାଜ୍ୟରେ ବଳଦ ସଂଖ୍ୟା ହ୍ରାସ ପାଉଥିବା ପ୍ରାଣୀଧନ ଗଣନାରୁ ଜଣାପଡ଼ିଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୧୨ରେ ପ୍ରଣୀଧନ ଗଣନା ଅନୁଯାଇ ରାଜ୍ୟରେ ବଳଦ ସଂଖ୍ୟା ୪,୩,୦୧,୮୦୬ ଥିବା ବେଳେ ୨୦୧୯ରେ ଏହି ସଂଖ୍ୟାରେ ଦ୍ରୁତ ହ୍ରାସ ଘଟି ୨୯,୮୫,୧୪୨ ହୋଇଥିଲା। ଗତ ୭ ବର୍ଷ ମଧ୍ୟରେ ୩୧ ପ୍ରତିଶତ ବଳଦ ସଂଖ୍ୟା ହ୍ରାସ ପାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଷଣ୍ଢମାନେ ବିଲରେ ପଶି ଫସଲ ନଷ୍ଟ କରୁଥିବା ତଥ୍ୟ ସରକାରଙ୍କ ଦୃଷ୍ଟିକୁ ଆସିନାହିଁବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

Related Articles

Back to top button