ଆଜି ଫଗୁ ଦଶମୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ । ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ କରାଯାଉଛି  ।  ଆଜି ଭକ୍ତଙ୍କୁ ଚାଚାରୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ।

ଆଜିଠୁ ସପ୍ତାହେ ଧରି ଶ୍ରୀମନ୍ଦିରରେ ଦୋଳ ଉତ୍ସବ ମଧ୍ୟ ପାଳନ କରାଯିବ।  ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯିବେ ।

ସେଠାରେ ଅବିର ଓ ଫଗୁ ଲାଗି କରାଯିବ । ବିଶ୍ୱାସ ରହିଛି, ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ଏହି ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ ହେବ । ଆସନ୍ତା ଚତୁର୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହେବେ । ମହାପ୍ରଭୁଙ୍କ ଚାଚେରୀ ବେଶ ଦର୍ଶନ କଲେ ଅପାର ଶାନ୍ତି ମିଳିଥାଏ  ।

ସେପଟେ ଆସନ୍ତା ୬ ତାରିଖରେ ମେଣ୍ଢାପୋଡି ଉତ୍ସବ ଅନୁଷ୍ଠିତ ହେବାସହ ୭ ତାରିଖରେ ଦୋଳପୂର୍ଣ୍ନୀମା ଅବସରରେ ଚତୁର୍ଦ୍ଧାବିଗ୍ରହ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଵେ।

Related Articles

Back to top button