ସାଇବର ଠକାମୀ ରୋକିବାକୁ ରାଜ୍ୟରେ ଖୋଲିବ ‘ସାଇବର ସିକ୍ୟୁରିଟି ସେଣ୍ଟର ଅଫ୍ ଏକ୍ସିଲେନ୍ସ’

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ସାଇବର ଠକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ସମସ୍ତ ପ୍ରକାରର ସଚେତନତା, ବିଶେଷଜ୍ଞଙ୍କ ପରାମର୍ଶ, ଅତ୍ୟାଧୁନିକ ଜ୍ଞାନକୌଶଳ କିଛି ବି କାମ କରୁନାହିଁ । ସାଇବର ଫ୍ରଡମାନେ ଅଦୃଶ୍ୟ ଶକ୍ତିର ପ୍ରୟୋଗ କରି କୋଟି କୋଟି ଟଙ୍କା ହଡ଼ପ କରିନେଉଛନ୍ତି । ଏପରି ଭାବେ ଗତ ଫେବୃଆରୀ ମାସରେ ପାଖାପାଖି ଦେଢ଼ କୋଟି ଟଙ୍କା ହଡ଼ପ କରିନେଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରର ସାଇବର ଠକମାନେ ନୂଆ ନୂଆ ତରିକାରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଉଛନ୍ତି ।

ତେବେ ତଥ୍ୟ ମୁତାବକ, ଗତ ଦୁଇବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଠକ ମାନେ ୨୧ କୋଟି ଟଙ୍କା ଠକି ନେଇଛନ୍ତି । ୨୦୨୨ରେ କେବଳ ରାଜଧାନୀରୁ ୧୨ କୋଟିରୁ ଅଧିକ ଅର୍ଥ ଗାଏବ୍ କରିଦେଇଛନ୍ତି । ଏହି ମାମଲାରେ ୩୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମାତ୍ର ୨ କୋଟି ଟଙ୍କା ଫେରସ୍ତ ଆଣିବା ସମ୍ଭବ ହୋଇପାରିନଥିଲା । ୟୁପିଆଇ, କ୍ରେଡିଟ ଓ ଡେବିଟ୍ କାର୍ଡ ମାଧ୍ୟମରେ ସର୍ବାଧିକ ଠକେଇ ହେଉଥିବା ଦେଖାଯାଉଛି । ରାଜଧାନୀ ବାସୀଙ୍କ ପାଖକୁ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରୁ କଲ୍ ଆସୁଛି । ଏପରିକି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ପ୍ରିଆକ୍ଟିଭେଟେଡ୍ ସିମ୍ ଚାଲାଣ ହେଉଥିବା ଦେଖାଯାଉଛି ।

ତେବେ ରାଜ୍ୟରୁ ସାଇବର ଫ୍ରଡକୁ ବିଲୋପ କରିବା ପାଇଁ ଆକ୍ସନ ମୁଡ଼କୁ ଆସିଛି କମିଶନରେଟ୍ ପୋଲିସ । ଠକମାନେ ଅଶ୍ଲୀଳ ଭିଡିଓ ଦେଖାଇ, ବକେୟା ବିଦ୍ୟୁତ ବିଲ୍ ଆଳ ଦେଖାଇ, ଲୋନ୍ ଆପ ବାହାନା କରି ଟଙ୍କା ହଡ଼ପ କରିନେଉଛନ୍ତି । ଶିକ୍ଷିତ ଲୋକମାନେ ଏଭଳି ଚତୁର ଠକଙ୍କ ଆଗରେ ହାର ମାନିବାକୁ ବାଧ୍ୟ ହେଉଛନ୍ତି । ତେବେ ସାଇବର ଠକଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ‘ସାଇବର ସିକ୍ୟୁରିଟି ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଖୋଲିବାକୁ ଯୋଜନା କରାଯାଉଛି । ଏହି ସେଣ୍ଟର ଖୋଲିବା ପରେ ରାଜ୍ୟରେ ତଦନ୍ତ ପ୍ରକ୍ରିୟା ଆହୁରି ମଜବୁତ ହୋଇପାରିବ ବୋଲି କୁହାଯାଉଛି ।

Related Articles

Back to top button