ଏଣିକି ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର ଶୀର୍ଷ ଅଧିକାରୀ ନିଯୁକ୍ତି ନେଇ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏଣିକି ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଏକ କମିଟି ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ। ଏହି କମିଟିର ପରାମର୍ଶ ପରେ ନିର୍ବାଚନ ଅଧିକାରୀ ନିଯୁକ୍ତି ଦିଆଯିବ ବୋଲି ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ।
ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। କେଏମ୍ ଜୋସେଫ୍ଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ ଅଧିକାରୀମାନଙ୍କୁ ଏହି ୩ ସଦସ୍ୟ ବିଶିଷ୍ଟ କମିଟିର ପରାମର୍ଶରେ ରାଷ୍ଟ୍ରପତି ନିଯୁକ୍ତି ଦେବେ। ଯେପର୍ଯ୍ୟନ୍ତ ନିର୍ବାଚନ କମିଶନ ନିଯୁକ୍ତି ନେଇ କୌଣସି ନିୟମ କରାଯାଇ ନାହିଁ ସେପର୍ଯ୍ୟନ୍ତ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟା ଏପରି ଚାଲିବ ବୋଲି ଖଣ୍ଡପୀଠ କହିଛନ୍ତି।
ତେବେ ଯଦି ବିରୋଧୀ ଦଳର ନେତା ନଥିବେ ସେହି ପରିସ୍ଥିତିରେ କେଉଁ ନିଷ୍ପତ୍ତି ନିଆଯିବ ସେ ନେଇ ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ବିରୋଧୀ ଦଳର ନେତା ନଥିଲେ ଗୃହରେ ଯେଉଁ ଦଳ ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିଥିବ ବା ଗୃହରେ ସବୁଠାରୁ ବଡ଼ ବିପକ୍ଷ ପାର୍ଟିର ନେତା କମିଟିର ସଦସ୍ୟ ହେବେ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।
ଗଣତନ୍ତ୍ରରେ ଭରସା ରହିବା ଉଚିତ
ନିର୍ବାଚନ କମିସନ ନିଯୁକ୍ତି ନେଇ ଆଜି ଶୁଣାଣି କରୁଥିବା ୫ ଜଣିଆ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ଜଷ୍ଟିସ୍ ଏସମ୍ ଜୋସେଫ୍ଙ୍କ ସମେତ ଜଷ୍ଟିସ ଅଜୟ ରସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋସ୍, ଋଷିକେଶ ରାୟ ଓ ସିଟି ରବିକୁମାର ରହିଥିଲେ। ଗଣତନ୍ତ୍ରରେ ଲୋକଙ୍କ ବିଶ୍ୱାସକୁ ଗୁରୁତ୍ୱ ଦେଇଥିଲେ ଖଣ୍ଡପୀଠ କହିଛନ୍ତି ଗଣତନ୍ତ୍ରରରେ ଲୋକଙ୍କର ଭରସା ରହିବା ନିହାତି ଦରକାର। ଏହି ଭରସା ସେତେବେଳେ ହେଇପାରିବ ଯେତେବେଳେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟ ଶୈଳୀ ଲୋକଙ୍କୁ ବିଶ୍ୱସନୀୟ ଲାଗିବ। ତେଣୁ ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।
ତେବେ କେନ୍ଦ୍ର ସରକାର ନିର୍ବାଚନ ଅଧିକାରୀ ନିଯୁକ୍ତ ଦେଇଥିବା ପ୍ରକ୍ରିୟାକୁ ଭୁଲ୍ ବୋଲି ଦର୍ଶାଇଲେ କୋର୍ଟ। ଖଣ୍ଡପୀଠ କହିଥିଲେ ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ପଦରେ ଏମିତି ବ୍ୟକ୍ତି ବସିବା ଦରକାର ଯିଏ ଆବଶ୍ୟକ ପଡ଼ିଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ବି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସଂକୋଚ କରିବେ ନାହିଁ।